ଭୁୁବନେଶ୍ୱର: ମହାମାରୀ କରୋନା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଥିବାରୁ ରାଜ୍ୟ ସରକାର ବ୍ୟାପକ ଖର୍ଚ୍ଚକାଟ ବ୍ୟବସ୍ଥା କରିଛନ୍ତି । ନୂଆ ପଦବୀ ସୃଷ୍ଟି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନୂଆ କନସଲଟାଣ୍ଟସ୍, ଆଉଟସୋର୍ସିଂ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ବନ୍ଦ କରାଯାଇଛି । ଏମିତିକି ସରକାରୀ ମିଟିଂ, ବିଳାସପୂର୍ଣ୍ଣ ଯାତ୍ରା, ଅଫିସ ଗାଡ଼ିକିଣା, ଅଫିସ ମରାମତି ପାଇଁ ବି ଖର୍ଚ୍ଚ କରାଯାଇପାରିବ ନାହିଁ । ଗତ ଜୁଲାଇ ୭ ତାରିଖରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଏହି ମର୍ମରେ ସବୁ ବିଭାଗକୁ ଚିଠି ଲେଖିଛନ୍ତି ।

କିନ୍ତୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜିର ଏହି ଅଫିସ ଅର୍ଡର ଉପରେ ଟିକେ ନଜର ପକାନ୍ତୁ । ଅବସରପ୍ରାପ୍ତ ଓଏଏସ୍ ବିଭାସ କାନୁନଗୋଙ୍କୁ ବିଭାଗର ଲିଗାଲ୍ କନସଲଟାଣ୍ଟ ବା ଆଇନ ପରାମର୍ଶଦାତା ଭାବେ ବର୍ଷିକିଆ ନିଯୁକ୍ତି ଦିଆଯାଇଛି । କନସୋଲିଡେଟେଡ଼୍ ରେମୁନରେସନ୍ ଭାବେ ମାସକୁ ପାଇବେ ୬୦,୦୦୦ ଟଙ୍କା । ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ତାଙ୍କୁ କୁହାଯାଇଛି ।
ସରକାରଙ୍କ ପୁନଃ ନିଯୁକ୍ତି କଟକଣା ସତ୍ତ୍ୱେ ଜଣେ ଅବସରପ୍ରାପ୍ତ ଓଏଏସ୍ ଙ୍କୁ ଏମିତି ତରବରିଆ ଭାବେ ଉଚ୍ଚଶିକ୍ଷା ବିଭାଗର ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଗଲା କିପରି? ଉଚ୍ଚଶିକ୍ଷା ବିଭାଗର ଏହି ନିଯୁକ୍ତିନାମା ଫାଇଲ୍ କୁ ଅର୍ଥ ବିଭାଗ କିଭଳି ମଂଜୁର କଲା? ଜଣେ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀଙ୍କର ଆଇନ ଉପରେ ପାଣ୍ଡିତ୍ୟ ଆସିଲା କୁଆଡୁ ଯେ ଉଚ୍ଚଶିକ୍ଷା ବିଭାଗକୁ ଆଇନ ପରାମର୍ଶ ଦେବେ?
ବାବୁମାନଙ୍କୁ ଥଇଥାନ କରିବା ପାଇଁ ସରକାରୀ ନିୟମକୁ କିଭଳି ମୋଡ଼ି ମକଚି ଅବଜ୍ଞା କରାଯାଏ ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ । ରାଜ୍ୟ ସରକାର ଏହାର ଜବାବ ରଖିବା ଦରକାର ।