‘ଦ ଟଲ୍ ମ୍ୟାନ୍’: ଉତ୍ସବର ଏପାଖ ସେପାଖ

0
1213
ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଫଟୋ ସମ୍ବଳିତ ପୁସ୍ତକ ‘ଦ ଟଲ୍ ମ୍ୟାନ’ ର ଉନ୍ମୋଚନ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି.ଦେବେଗୌଡ଼ା, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ବରିଷ୍ଠ ସିପିଏମ୍ ନେତା ସୀତାରାମ ୟେଚୁରୀ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲାଙ୍କୁ ଅତିଥି କରି ବିଜୁ ଜନତା ଦଳ ଏହି ପର୍ବର ଧୂମଧାମ ଆୟୋଜନ କରିଥିଲା । ଏହି ସ୍ୱତନ୍ତ୍ର ଉତ୍ସବକୁ ସବୁ ଦଳର ବରିଷ୍ଠ ନେତା, ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହାତଗଣତି କେଇ ଜଣଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଯୋଗଦେଇଥିଲେ ।
ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ସମସ୍ତଙ୍କର ଦୃଷ୍ଟି ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତରୁ ଦୀର୍ଘ ୧୮ ବର୍ଷ ହେଲା ବିରୋଧୀ ହୋଇ ରହିଥିବା ବିଜୟ ମହାପାତ୍ରଙ୍କ ଉପରେ । ତେବେ ଧର୍ମେନ୍ଦ୍ର ଆସିଲେ ନାହିଁ, କିନ୍ତୁ ବିଜୟ ଆସିଲେ । ଖାଲି ଆସିଲେନି । ବିଜୁ ପରିବାରର ସଦସ୍ୟ ଭାବେ ନିଜକୁ ଗର୍ବିତ ମନେକଲେ । ଉତ୍ସବରେ ବିଜୟଙ୍କ ଉପସ୍ଥିତି ତାଙ୍କର ମର୍ଯ୍ୟାଦା ବଢ଼ାଇ ଦେଇଥିଲା । ୧୮ ବର୍ଷ ଧରି ମୁହଁ ଚାହଁଚୁହିଁ ହୋଇ ନ ଥିବା ନବୀନ ଓ ବିଜୟ ଆଜିର ଉତ୍ସବରେ ସାମନା ସାମନି ହୋଇ ନ ଥିଲେ ମଧ୍ୟ ଗୋଟିଏ ମାହୋଲରେ ଦୁହିଁଙ୍କୁ ଏକାଠି ଦେଖି ଅନ୍ୟମାନେ ଉତ୍ସୁକ ହୋଇପଡ଼ିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ଉପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା ।
ତେବେ ବିଜୁବାବୁଙ୍କର ଏକାନ୍ତ ଅନୁଗତ ଶ୍ରୀକାନ୍ତ ଜେନାଙ୍କୁ କିନ୍ତୁ ସେଠାରେ ଦେଖିବାକୁ ମିଳି ନ ଥିଲା । ବିଜୁବାବୁ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ରାଜନୀତିର ଶୀର୍ଷକୁ ନେଇଥିଲେ । ମାତ୍ର ବିଜୁବାବୁଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ଦେଖାଇବାର ସୁଯୋଗ ହାତଛଡ଼ା କରିଥିଲେ ଶ୍ରୀକାନ୍ତ । ସେହିଭଳି ବିଜୁବାବୁଙ୍କ ଆଦର୍ଶରେ ନିଜକୁ ବ୍ରତୀ ବୋଲାଉଥିବା ତଥା ବିଜୁଙ୍କ ନାଁରେ ବିଚାର ମଂଚ କରିଥିବା ବିଜେଡ଼ିର ବରିଷ୍ଠ ନେତା ଦାମୋଦର ରାଉତ ଏହି ଉତ୍ସବକୁ ନ ଆସିବା ସମସ୍ତଙ୍କୁ ଚକିତ କରିଥିଲା । ଦାମବାବୁଙ୍କର ଏହା ରାଗ ନା ଅଭିମାନ ତାହା ଜଣାପଡ଼ିନି । ଉତ୍ସବର ଆମନ୍ତ୍ରିତ ଅତିଥି ଗ୍ୟାଲେରୀରେ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀମଙ୍ଗତ ଏବଂ ଭାଇ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତଙ୍କ ଆଡକୁ ସମସ୍ତଙ୍କ ନଜର ଜୋରରେ ପଡ଼ିଥିଲା । ହେଲେ ନଗଦ ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା । ବୈଜୟନ୍ତଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା ବୋଲି କୁହାଯାଉଛି ।
ପୁସ୍ତକ ଉନ୍ମୋଚନ ପାଇଁ ଆସିଥିବା ମହାନ୍ ଅତିଥିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନବୀନ ନିବାସରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । କଦଳୀପତ୍ରରେ ଖାଣ୍ଟି ଓଡ଼ିଆ ଭୋଜନ ପରଷା ଯାଇଥିଲା । ମେନ୍ୟୁରେ ଥିଲା ପଖାଳ, ପିଆଜ ପିଠା, ଶାଗ,ବଡ଼ି, ସଜନା ଛୁଇଁ ଏବଂ ଛେନାପୋଡ । ବଡ଼କଥା ଥିଲା, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଭୁବନେଶ୍ୱର ଆଗମନ ସତ୍ତ୍ୱେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛାଡ଼ିଦେଲେ ରାଜ୍ୟ ବିଜେପି ନେତାମାନେ ତାଙ୍କୁ ଆଡ ଆଖି ପକାଇ ନ ଥିଲେ । ଏପଟେ ଉତ୍ସବରେ ଆଡଭାନୀ ତାଙ୍କ ଭାଷଣରେ ବିଜୁବାବୁ ଓ ନବୀନବାବୁଙ୍କୁ ପ୍ରଶଂସାରେ ପୋତିଦେବେ ବୋଲି ଆୟୋଜକ ବିଜେଡ଼ି ନେତାମାନେ ଆଶା ବାନ୍ଧିଥିଲେ । ମାତ୍ର ଆଡ଼ଭାନୀ ସମସ୍ତଙ୍କୁ ନିରାଶ କରିଥିଲେ । ଏଭଳି ଆୟୋଜନକୁ ସେ ଭୂରୀ ଭୂରୀ ପ୍ରଶଂସା କରିଥିଲେ ମଧ୍ୟ ଅନ୍ୟ କିଛି କହି ନ ଥିଲେ । ଦେବେଗୌଡ଼ା କିନ୍ତୁ ବିଜୁବାବୁଙ୍କୁ ବେଶ୍ ମନେପକାଇଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେବା ପଛରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ । ଏଭଳି ରାଷ୍ଟ୍ରନେତାଙ୍କୁ ଭାରତରତ୍ନ ଉପାଧି ଦେବାକୁ ସେ ଦାବି କରିଥିଲେ । ପ୍ରଣବ ମୁଖାର୍ଜୀ ମଧ୍ୟ ତାଙ୍କ ଭାଷଣରେ ବିଜୁବାବୁଙ୍କୁ ସ୍ମରଣ କରି ତାଙ୍କୁ ଜଣେ ମହାନ୍ ରାଷ୍ଟ୍ରନେତା ଭାବେ ଅଭିହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here