ଭୁବନେଶ୍ୱର: ରାଜ୍ୟର ଆଦିବାସୀ ଜିଲ୍ଲାଗୁଡ଼ିକରେ ରାଜ୍ୟ ସରକାର ଆସନ୍ତାକାଲି ଆୟୋଜନ କରିଛନ୍ତି ‘ଓଡ଼ିଶା ଟ୍ରାଇବାଲ୍ କନକ୍ଲେଭ୍’ । ତେବେ ଆଗକୁ ନିର୍ବାଚନ ଥିବାରୁ ଏଥିରେ ରାଜନୀତିର ରଙ୍ଗ ବୋଳି ହୋଇଛି । ବିଜେଡ଼ି କାଳେ ଆଦିବାସୀଙ୍କ ଭୋଟ ପୋଛିନେବ ବିଜେପି ସେହି ଆଶଙ୍କାରେ ଶାସକ ଦଳକୁ ଆକ୍ରମଣ କରିଛି । ତେବେ ବିଜେଡ଼ି ଛାଡ଼ିନାହିଁ, ପାଲଟା ଆକ୍ରମଣ କରିଛି ।

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବିଜେଡ଼ି ନିଜର ପୈତୃକ ସମ୍ପତ୍ତି ବୋଲି ଭାବୁଛି ବୋଲି କହିଛନ୍ତି । ସେ କହିଛନ୍ତି, ସମ୍ବିଧାନର ଧାରା ୨୪୪ ଓ ଅନୁଚ୍ଛେଦ-୫ ରେ ରାଜ୍ୟପାଳଙ୍କୁ ମିଳିଥିବା କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିଛନ୍ତି । ଗରିବଙ୍କ ଟିକସ ଅର୍ଥକୁ ଆତ୍ମସାତ କରି ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ ଉଦ୍ଦେଶ୍ୟରେ ‘ସ୍ୱତନ୍ତ୍ର ବିକାଶ ପରିଷଦ’ ଗଠନ କରିଛନ୍ତି । ଏବେ ସେହି ବିକାଶ ପରିଷଦ ନାଁରେ ଓଡ଼ିଶା ଟ୍ରାଇବାଲ୍ କନକ୍ଲେଭ୍’ କରି ରାଜନୈତିକ ଫାଇଦା ନେବାକୁ ବିଜେଡ଼ି ଯୋଜନା କରିଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ବିଜେଡ଼ି ଏହାର କଡ଼ା ଜବାବ ଦେଇଛି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେଲିନ୍ ମହାନ୍ତି ବିଜେପି ମୁଖପାତ୍ର ଶ୍ରୀ ଆଚାର୍ଯ୍ୟଙ୍କୁ କଡ଼ା ଭାଷା ଶୁଣାଇଛନ୍ତି । ଶ୍ରୀ ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନଠୁ ବୋଧେ ଆଇନ ପଢ଼ିବା ଛାଡ଼ି ଦେଇଛନ୍ତି କିମ୍ବା ଆଇନ ପାଠ ଭୁଲିଯାଇଛନ୍ତି । ସେ ଅଭ୍ୟାସଗତ ଭାବେ ଅଶାଳୀନ ଓ ଅଶୋଭନୀୟ ବକ୍ତବ୍ୟ ଦେଇ ଆସୁଛନ୍ତି ଯାହା ତାଙ୍କ ଭଳି ଲୋକଠାରୁ କେବଳ ଆଶା କରାଯାଇପାରେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ଦର୍ଶାଇଛନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ସାମ୍ବିଧାନିକ ବିଧି ବ୍ୟବସ୍ଥା ନୁହେଁ । ଯେଉଁ ୯ଟି ଜିଲ୍ଲାରେ ଏହା ଗଠନ କରାଯାଇଛି, ତାହା କେବଳ ସେଠାକାର ବାସିନ୍ଦାଙ୍କ ସଂସ୍କୃତି ଏବଂ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଉଦ୍ଦିଷ୍ଟ । ଏହା ଏକ ବିକାଶମୂଳକ ପଦକ୍ଷେପ ଏବଂ ଉନ୍ନୟନ ପରିଷଦର କୌଣସି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ କ୍ଷୂର୍ଣ୍ଣ କରୁନାହିଁ । ସେହିଭଳି ଟ୍ରାଇବାଲ୍ ଆଡଭାଇଜରି କାଉନସିଲ୍(ଟିଏସି) ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଦ୍ୱାରା ଏକ ସାମ୍ବିଧାନିକ ପଦବୀ । ବିଗତ ୧୯ ବର୍ଷ ମଧ୍ୟରେ ୧୭ ଥର ଏହି କାଉନସିଲ୍ ତାହାର ବୈଠକ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ମାରିଥିଲେ ମଧ୍ୟ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିନାହାନ୍ତି । ଅନୁସୂଚିତ ଜନଜାତିଙ୍କ ପ୍ରତି ଏହା କୁଠାରାଘାତ ସଦୃଶ । ଟିଏସି ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ତୁଳନା କରି ବିଜେପିର ଷଡ଼ଯନ୍ତ୍ର ସଫଳ ହେବ ନାହିଁ ।
ଜଙ୍ଗଲ ଜମି ଅଧିକାର ଆଇନ ବଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଅନୁସୂଚିତ ଜନଜାତିମାନଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛନ୍ତି ଏବଂ ଭାରତବର୍ଷରେ ସୁନାମ ଅର୍ଜନ କରିଛନ୍ତି । ଅନୁସୂଚିତ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାରୁ ବିଜେପି ଶିକ୍ଷା ଲାଭ କରୁ ବୋଲି ଶ୍ରୀ ଲେଲିନ୍ ପରାମର୍ଶ ଦେଇଛନ୍ତି ।
ବିଜେଡ଼ିର ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଓ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଉପସ୍ଥିତ ଥିଲେ ।