ଭୁବନେଶ୍ୱର: ପରୀ ହତ୍ୟା ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ପାଇଁ କୋର୍ଟକୁ ଆବେଦନ କରିଥିଲା ଏସଆଇଟି । ମାତ୍ର ଅଭିଯୁକ୍ତ ବ୍ରେନ୍ ମ୍ୟାପିଂକୁ ଆଜି ମନା କରିଦେଲା । ଫଳରେ କୋର୍ଟ ଅନୁମତି ଦେଇନାହାନ୍ତି । ପୂର୍ବରୁ ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟକୁ ମନା କରିଥିଲା ଅଭିଯୁକ୍ତ । ସୁତରାଂ ଏସଆଇଟି ତଦନ୍ତରେ ଅଭିଯୁକ୍ତ ସହଯୋଗ କରୁନାହିଁ । ଆଇନର ଫାଙ୍କରେ ଖସିଯିବାକୁ ଉଦ୍ୟମ କରିଛି ।
ଅନ୍ୟପକ୍ଷରେ, ଅଭିଯୁକ୍ତର ବିଭତ୍ସ କାଣ୍ଡ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ମୁହଁରୁ ଶୁଣିଲା ପରେ ବି ପରୀର ବାପାମାଆଙ୍କୁ ଘୃଣା କି କଷ୍ଟ ଦେଇନାହିଁ । ରାଜନୈତିକ ପଶାପାଲିରେ ସମ୍ଭବତଃ ସେମାନେ ଫସିଯାଇଛନ୍ତି । ସିବିଆଇ ତଦନ୍ତ ଦାବିରେ ପରୀର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରୀ ମାଆଙ୍କୁ ସୁପ୍ରିମକୋର୍ଟ ନେବା ପଛରେ କାହାର ହାତ ତାହା ବି ଦାଣ୍ଡରେ ଗଡୁଛି ।
ପରୀକୁ ଜାମୁକୋଳି ଦେବାକୁ ଡାକି ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କଲା ପରେ ଶବ ସହ ଦୁଷ୍କର୍ମ କଲା । ଏକଥା ଏସଆଇଟି ଆଗରେ ସେ ପୂରାପୂରି ମାନିସାରିଛି । ଅଭିଯୁକ୍ତର ବୟାନ ଆଧାରରେ ପୋଖରୀରୁ ପରୀର ଲେଗିନ୍ସ ବି ମିଳିଛି । ସବୁଠାରୁ ବଡ଼କଥା ହେଲା, ଏସଆଇଟି ତଦନ୍ତ ଉପରେ ଗତକାଲି ଓଡିଶା ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ ।
ମାତ୍ର ହତ୍ୟାର ନିର୍ଦ୍ଦିଷ୍ଟ ଥିଓରି ଘୋଷିଥିବା ପରୀର ବାପାମାଆ ଏସଆଇଟି ତଦନ୍ତ କି ହାଇକୋର୍ଟର ଟିପ୍ପଣୀକୁ ବିଶ୍ୱାସ କରିବା ଅବସ୍ଥାରେ ନାହାନ୍ତି । ସିବିଆଇ ତଦନ୍ତରେ ପରୀକୁ ନ୍ୟାୟ ମିଳିବ ବୋଲି ସେମାନଙ୍କୁ ବୁଝାଇ ଦିଆଯାଇଛି ।
୫ ବର୍ଷର ଝିଅର ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ ଏହା ସମସ୍ତେ ଚାହିଁବେ । ମାତ୍ର ଗୁରୁତ୍ୱପୂର୍ଣ୍ଣ କଥା କି ଏସଆଇଟି ଟିମ୍ ତଦନ୍ତ କରି ଯାହାକୁ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି ସେ ତଦନ୍ତରେ ସହଯୋଗ କରୁନାହିଁ । ପଲିଗ୍ରାଫ୍, ନାର୍କୋ ଟେଷ୍ଟ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ରାଜି ହୋଇ ନ ଥିବାରୁ ସେ ଯେ ଅପରାଧୀ ତାହା ଅଧିକ ବିଶ୍ୱାସ କରିବା କଥା । ମାତ୍ର ପରୀର ବାପାମାଆ ଏସଆଇଟି ତଦନ୍ତକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ ଦାବିରେ ଅଟଳ ରହିବା ସମସ୍ତଙ୍କୁ ଚକିତ କରିଛି ।