ଭୁବନେଶ୍ୱର: ଗୋଟେ ପରେ ଗୋଟେ କେଳେଙ୍କାରୀରେ ଛନ୍ଦି ହେଉଥିବା ଓଟିଭି ଓ ଏହାର ମାଲିକ ଶେଷରେ ନିଜକୁ ବଞ୍ଚାଇବା ପାଇଁ ଅନ୍ଧାରରେ ବାଡି ବୁଲାଇବା ଆରମ୍ଭ କରିଛନ୍ତି । ବିଭ୍ରାନ୍ତିମୂଳକ ଖବର ଜରିଆରେ ପୁଲିସକୁ ଚେକ୍ ଦେବାକୁ ପଣ୍ଡା କମ୍ପାନୀ ସାଂଘାତିକ ଚାଲ୍ ଖେଳିଛନ୍ତି । ଏହି ଉଦ୍ୟମରେ ପ୍ରଥମ ଟାର୍ଗେଟ୍ ହୋଇଛନ୍ତି ଡିଜି ଶ୍ରୀ ଅଭୟ । ଅଭୟଙ୍କ ପକ୍ଷଚ୍ଛେଦନ କରାଯାଇ ସତ୍ୟଜିତ୍ ମହାନ୍ତିଙ୍କୁ ଡିଜି ପଦରେ ବସାଇବାର ଯୋଜନା ହୋଇଛି ବୋଲି ପଣ୍ଡା କମ୍ପାନୀ ପକ୍ଷରୁ ପ୍ରଚାର କରାଯାଇଛି ।
କୁଆଡେ, ଶ୍ରୀ ଅଭୟ ନିଜସ୍ୱ ଢ଼ଙ୍ଗରେ ବିବେକାନୁମୋଦିତ କାର୍ଯ୍ୟ କରୁଥିବାରୁ ତୃତୀୟ ମହଲା ଖପ୍ପା ହୋଇଛନ୍ତି । ତେଣୁ ବିଜୟ ଶର୍ମାଙ୍କ ଭଳି ତାଙ୍କୁ ପ୍ରଭାବହୀନ କରାଯିବ । ରୋଚକ କଥାଟି ହେଲା, ତୃତୀୟ ମହଲାର ଏହି ଯୋଜନା ପଣ୍ଡା କମ୍ପାନୀ କାନରେ କୁଆଡେ ବାଜିଛି ।
ଏଠାରେ ସୂଚନାଥାଉକି, ରାଜ୍ୟର ପୁଲିସ ମୁଖ୍ୟ(ଡିଜିପି) ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବାର ପ୍ରାବଧାନ ରହିଛି । ମାନ୍ୟବର ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଅଭୟଙ୍କୁ ଗତବର୍ଷ ନଭେମ୍ବର ୨୧ ତାରିଖରେ ଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା । ସୁତରାଂ ଶ୍ରୀ ଅଭୟ ଆସନ୍ତାବର୍ଷ ନଭେମ୍ବର ୨୧ ପର୍ଯ୍ୟନ୍ତ ଡିଜି ପଦରେ ରହିବେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ଉକ୍ତ ପ୍ରାବଧାନ ସମ୍ପର୍କରେ ପଣ୍ଡା କମ୍ପାନୀ ଭଲଭାବେ ଅବଗତ ଥିବାରୁ ନିଜେ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି । ତଥାପି ଟାଣି ଓଟାରି ତୃତୀୟ ମହଲା ନାଁ ନେଇ ଡିଜିଙ୍କ ପକ୍ଷଚ୍ଛେଦନ ଭଳି ବିଭ୍ରାନ୍ତିମୂଳକ ଖବର ଦେବାକୁ ଚାହିଁଛନ୍ତି । ଏହାଦ୍ୱାରା ସମ୍ଭବତଃ ଗୋଟିଏ ଗୁଳିରେ ଦୁଇଟି ଶିକାର ଖୋଜିଛନ୍ତି ପଣ୍ଡା କମ୍ପାନୀ । ତାହାହେଲା, ଡିଜି ଶ୍ରୀ ଅଭୟଙ୍କ ସହାନୁଭୂତି ହାସଲ କରିପାରିବେ ଏବଂ ଡିଜିଙ୍କୁ ଅନିଶ୍ଚିତତା ମଧ୍ୟରେ ରଖି ପୁଲିସ ମନୋବଳକୁ ଭାଙ୍ଗିବେ ।
ତେବେ ଏଭଳି ପ୍ରଚାର ପଛରେ ପଣ୍ଡା କମ୍ପାନୀର ଅସଲ ଉଦ୍ଦେଶ୍ୟକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ଓଟିଭି ବିରୋଧରେ ଥିବା ଫେକ୍ ଅଡିଓ ଭାଇରାଲ୍, ନାବାଳିକା ଗଣଦୁଷ୍କର୍ମ, ସାରୁଅ ଜମି କେଳେଙ୍କାରୀ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ଓ ରାଜଧାନୀରେ ଅଫିସ ପାଇଁ ସରକାରୀ ଜମି ଜବରଦଖଲ ଆଦି ସଙ୍ଗୀନ ମାମଲାରୁ ନିଜକୁ ବଞ୍ଚାଇବାର ଉଦ୍ୟମ ହୋଇଥାଇପାରେ ବୋଲି କୁହାଯାଉଛି ।
ପଣ୍ଡା କମ୍ପାନୀର ଏଭଳି ବିଭ୍ରାନ୍ତ ସୃଷ୍ଟିକାରୀ ଖବରକୁ ନେଇ ପୁଲିସ ଉଚ୍ଚ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ନିଜର କେଳେଙ୍କାରୀକୁ ବଞ୍ଚାଇବାକୁ ଯାଇ ଡିଜିଙ୍କ ସମ୍ପର୍କରେ ଗୁଜବ ପ୍ରଚାର କରାଯାଉଛି ବୋଲି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି । ଏଭଳି କପୋଳକଳ୍ପିତ ଖବରକୁ ସେ ଫେକ୍ ନ୍ୟୁଜ୍ ଆଖ୍ୟା ଦେଇଛନ୍ତି ।
Continue Reading