ଭୁବନେଶ୍ୱର: ୨୨ ବର୍ଷ ତଳର ସେହି ଘୃଣ୍ୟ ଚେହେରାକୁ ଭୁଲିନାହାନ୍ତି ଅଞ୍ଜନା ମିଶ୍ର । ତାଙ୍କ ଇଜ୍ଜତ ଲୁଟିଥିବା ସୈତାନ୍ ବିବନର ଭୟଙ୍କର ଚେହେରା ତାଙ୍କ ମନରେ ଏବେ ବି ସତେଜ ରହିଛି । ଆଜି ଝାରପଡ଼ା ଜେଲ୍ ରେ ଅନୁଷ୍ଠିତ ଟିଆଇ ପରେଡ୍ ରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଅଞ୍ଜନା ଚିହ୍ନଟ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେଦିନ ଅଞ୍ଜନାଙ୍କୁ ଗାଡ଼ିରେ ନେଉଥିବା ଡ୍ରାଇଭର ନୀଳକଣ୍ଠ ରାଉତ ବି ବିବନକୁ ଚିହ୍ନଟ କରିଥିବା ଜଣାପଡ଼ିଛି ।
ଅଞ୍ଜନା ଗଣମାଧ୍ୟମକୁ ଏହାର ସ୍ପଷ୍ଟ ଉତ୍ତର ଦେବାକୁ ଚାହିଁ ନ ଥିଲେ ମଧ୍ୟ ସେ ବିବନକୁ ଚିହ୍ନଟ କରିଥିବା ମାନିଛନ୍ତି । ତେବେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ସବୁ ହୋଇଥିବାରୁ ଏହା ଉପରେ ଅଧିକ ନ କହି କୋର୍ଟ ଉପରେ ଛାଡ଼ି ଦେଇଛନ୍ତି । ଟିଆଇ ପରେଡ୍ ୧୦ ମିନିଟ୍ ଚାଲିଥିଲା ବୋଲି ଅଞ୍ଜନା କହିଛନ୍ତି ।
ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନର ଟିଆଇ ପରେଡ୍ ପାଇଁ ଗତକାଲି ସ୍ୱତନ୍ତ୍ର ସିବିଆଇ ଜଜ୍ ଅନୁମତି ଦେଇଥିଲେ । ସେହି ଅନୁଯାୟୀ ଆଜି ଝାରପଡ଼ା ଜେଲ୍ ରେ ଆନୁସଙ୍ଗିକ ପ୍ରସ୍ତୁତି ହୋଇଥିଲା । ବିବନକୁ ମିଶାଇ ସମ ବୟସ୍କ ଓ ସମାନ ଉଚ୍ଚତା ଥିବା ମୋଟ ୧୦ ଜଣଙ୍କୁ ପରେଡ୍ ରେ ଛିଡ଼ା କରାଯାଇଥିଲା ।
ପୀଡ଼ିତା ଅଞ୍ଜନା ମିଶ୍ର ଦିନ ୨ଟାରେ ତାଙ୍କ ଘରୁ ବାହାରି ନିର୍ଦ୍ଧାରିତ ସମୟ ସାଢ଼େ ଦୁଇଟା ପୂର୍ବରୁ ଝାରପଡ଼ା ଜେଲ୍ ରେ ପହଞ୍ଚି ଯାଇଥିଲେ । ଅଞ୍ଜନାଙ୍କ ପଛେ ପଛେ ଜେଏମଏଫସି ସୃଜାଲିନ ମହାନ୍ତି ପହଞ୍ଚିଥିଲେ । ଡ୍ରାଇଭର ନୀଳକଣ୍ଠ ମଧ୍ୟ ଆସିଥିଲେ । ଭିତରେ ଜେଲର୍, ସୁପରିଟେଣ୍ଡେଣ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସମେତ ଜେଲ୍ ଡିଆଇଜି ମଧ୍ୟ ଉପସ୍ଥିତ ଥିଲେ । ଜେଏମଏଫସିଙ୍କ ତତ୍ତ୍ୱାବଧାନରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ବିଳମ୍ବରେ ଟିଆଇ ପରେଡ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଆସନ୍ତାକାଲିଠାରୁ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଞ୍ଜନାଙ୍କୁ ଜଘନ୍ୟ ଗଣଦୁଷ୍କର୍ମ ମାମଲାର ଷଡ଼ଯନ୍ତ୍ରକାରୀ କିଏ ତାହା ଜାଣିବାକୁ ସିବିଆଇ ଉଦ୍ୟମ କରିପାରେ । ହାଇକୋର୍ଟ ଏହି ମାମଲାରେ ଡୋରି ବାନ୍ଧିଥିଲେ ମଧ୍ୟ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିବା ପାଇଁ ଅଞ୍ଜନା ସିବିଆଇକୁ ପ୍ରାର୍ଥନା କରିଛନ୍ତି । ୨୨ ବର୍ଷ ଧରି ବିବନର ଆତ୍ମଗୋପନ ପଛରେ କାହାର ପ୍ରୋତ୍ସାହନ ଥିଲା ତାହା ପଦାକୁ ଆଣିବାକୁ ମଧ୍ୟ ଅଞ୍ଜନା ଦାବି କରିଛନ୍ତି ।
ସୂଚନାଥାଉକି, ୧୯୯୯ ମସିହା ଜାନୁଆରୀ ୯ ରାତିରେ ବାରଙ୍ଗ ଅଞ୍ଚଳରେ ଅଞ୍ଜନାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ପଦିଆ ଓରଫ୍ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ପୁଲିସ ହାତରେ ଧରାପଡ଼ିଥିଲେ ମଧ୍ୟ ବିବନକୁ ଧରିପାରି ନ ଥିଲା । ଦୁଇ ଦଶନ୍ଧୀ ଧରି ସିବିଆଇ ମଧ୍ୟ ତା’ର ପତ୍ତା ପାଇ ନ ଥିଲା । ନିକଟରେ କମିଶନରେଟ୍ ପୁଲିସ ବିବନକୁ ଧରିବାରେ ସଫଳ ହୋଇଥିଲା । ନଭି ମୁମ୍ବାଇରେ ଛଦ୍ମନାମ(ଜଳନ୍ଧର ସ୍ୱାଇଁ) ରେ ପାଇପ୍ ମିସ୍ତ୍ରୀ କାମ କରୁଥିଲା ବିବନ ।