ଭୁବନେଶ୍ୱର: ପରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଥିବା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ମିଳିଛି ପଦୋନ୍ନତି । ରାଜ୍ୟ ସରକାର ତାଙ୍କୁ ଅତିରିକ୍ତ ଡିଜି(ଏଡିଜି) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ୧୯୯୬ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା । ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା କ୍ରାଇବ୍ରାଞ୍ଚ ଏସଆଇଟିର ମୁଖ୍ୟ ଭାବେ ତଦନ୍ତ ଦାୟିତ୍ୱ ନେବାର ମାତ୍ର ୨୦ ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।
କେବଳ ପରୀ ନୁହେଁ, ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଥିଲେ ବୋଥ୍ରା । ସିବିଆଇରେ ୫ ବର୍ଷ କାମ କରିଥିବା ବୋଥ୍ରା ବିଭିନ୍ନ ଅପରାଧିକ ତଦନ୍ତରେ ସଫଳତା ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ପରିବହନ ନିଗମ ସିଏମଡି ପଦରେ ଅବସ୍ଥାପିତ ଥିବା ବେଳେ ପରୀ ଘଟଣାର ତଦନ୍ତ ପାଇଁ ଗଠିତ ଏସଆଇଟି ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।
ଶ୍ରୀ ବୋଥ୍ରାଙ୍କ ସହ ସେହି ୧୯୯୬ ବ୍ୟାଚ୍ ର ଆଇପିଏସ୍ ସଞ୍ଜୟ ସିଂହ ଓ ଶ୍ରୀମତୀ ସୁନୀତା କକ୍ରନ୍ ଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଶ୍ରୀ ସିଂ ଏବେ କମିଶନରେଟ୍ ପୁଲିସରେ ଅତିରିକ୍ତ କମିଶନର ପଦବୀ ସହ ଡ୍ରଗ୍ ଟାକ୍ସ ଫୋର୍ସ(ଡିଟିଏଫ) ର ନେତୃତ୍ୱ ନେଉଛନ୍ତି । ଅନେକ ଡ୍ରଗ୍ ଚୋରାଚାଲାଣ ର୍ୟାକେଟ୍ ର ପର୍ଦ୍ଦାଫାସ କରି ସେ ସଫଳତା ପାଇଛନ୍ତି ।
ଶ୍ରୀମତୀ କକ୍ରନ୍ ଏବେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି ।