ଭୁବନେଶ୍ୱର: ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଆ ନେତାଙ୍କ ଗୁରୁତ୍ୱ ବଢ଼ିବାରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବିଭାଗର ମନ୍ତ୍ରୀପଦ ପ୍ରଥମ ଥର ପାଇଁ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଥିବା ବେଳେ ଏବେ ନ୍ୟାସନାଲ୍ କ୍ୟାଡ଼େଟ୍ କର୍ପସ୍ ବା ଏନସିସିରେ ସୁଧାର ଆଣିବାର ଦାୟିତ୍ୱ ପାଇଛନ୍ତି ବୈଜୟନ୍ତ ପଣ୍ଡା । ଏନସିସିକୁ ଅଧିକ ସମୟୋଚିତ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୫ ଜଣିଆ ହାଇଲେବଲ୍ ଏକ୍ସପର୍ଟ କମିଟିର ଅଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ ।
ଏହି ନିଯୁକ୍ତିକୁ ନେଇ ବୈଜୟନ୍ତ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଯୁବ ସଶକ୍ତିକରଣ, ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତା ଅକ୍ଷୂର୍ଣ୍ଣ ରଖିବା ନିମନ୍ତେ ଏନସିସିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରୂପାୟିତ ହେଉଛି ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି । କମିଟିରେ ଅନେକ ବିଶିଷ୍ଟ ବ୍ୟକ୍ତି ଥିବାରୁ ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ବୈଜୟନ୍ତ ଜଣାଇବା ସହ ସେଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।
ସୂଚନାଥାଉକି, ବିଜେଡ଼ିରୁ ବିଜେପିକୁ ଯାଇଥିବା ବୈଜୟନ୍ତ ଏଥର କେନ୍ଦ୍ରାପଡ଼ାରୁ ହାରିଥିଲେ ମଧ୍ୟ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ସହ ଆସାମ ଓ ଏବେ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ତେବେ ଓଡ଼ିଶା ବିଜେପିରେ ତାଙ୍କର ସେଭଳି ପତିଆରା ନାହିଁ କି ରାଜନୀତିରେ ପୂର୍ବ ପ୍ରଭାବ ନାହିଁ ।
ରୋଚକ କଥା ହେଉଛି, ସାଂସଦ ନ ଥାଇ ମଧ୍ୟ ସମ୍ପ୍ରସାରିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ବୈଜୟନ୍ତ ଜୋରସୋର ଲବି କରିଥିବା ଚର୍ଚ୍ଚା ହୋଇଥିଲା । ନିର୍ଦ୍ଦିଷ୍ଟ ଦୁଇଟି ଜାତୀୟ ଟେଲିଭିଜନ୍ ରେ ତାଙ୍କ ନାଁ ପ୍ରଚାର କରାଯାଇ ବୈଦେଶିକ ବିଭାଗ ବି ଦେଇ ଦିଆଯାଇଥିଲା । ତେବେ ଏହି ପ୍ରଚାରର କୌଣସି ଆଧାର ନ ଥିଲା । ପ୍ରେସର୍ ଟାକ୍ଟିସ୍ କୌଶଳ ବୋଲି ପରେ ଜଣାପଡ଼ିଥିଲା । ଓଡ଼ିଶାରୁ ମନ୍ତ୍ରୀମଣ୍ଡଳରେ ତିନି ଜଣ ସ୍ଥାନ ପାଇବା ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ବୈଜୟନ୍ତଙ୍କ ସମର୍ଥକଙ୍କ ମୁହଁ ଶୁଖି ଯାଇଥିଲା ।
ଏବେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠନ କରାଯାଇଥିବା ଏକ ଏକ୍ସପର୍ଟ କମିଟିରେ ବୈଜୟନ୍ତ ଅଧ୍ୟକ୍ଷ ଦାୟିତ୍ୱ ପାଇବା ସେମାନଙ୍କ ପାଇଁ ନିଶ୍ଚିତ ଭାବେ ଖୁସିର କଥା ।