ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ଦଳୀୟ ପର୍ଯ୍ୟବେକ୍ଷକ ତାଲିକାରେ ପରିବର୍ତ୍ତନ କରିଛନ୍ତି । ୨୬ ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବେଳେ ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି । ଜଣେ ଜଣେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ଅଧୀନରେ ଏକାଧିକ ଜିଲ୍ଲାର ଦେଖାଶୁଣା ଦାୟିତ୍ୱ ଛଡ଼ାଯାଇଛି ।
ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯିବା ସହ ଏଥିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗୁରୁତ୍ୱ ଦିଆଯାଇଛି । ଗତଥର ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମୂଳରୁ ମିଳି ନ ଥିଲା ବେଳେ ଏଥର ସିଧାସଳଖ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ସର୍ବାଧିକ ୭ ଟି ଜିଲ୍ଲାର ଦାୟିତ୍ୱ ପାଇଛନ୍ତି । ଅନ୍ୟ ବରିଷ୍ଠ ପର୍ଯ୍ୟବେକ୍ଷକ ବିକ୍ରମ କେଶରୀ ଆରୁଖଙ୍କ ଦାୟିତ୍ୱରେ ୫ ଜିଲ୍ଲା, ଦେବୀ ପ୍ରସାଦ ମିଶ୍ରଙ୍କୁ ୬ ଜିଲ୍ଲା, ନିରଞ୍ଜନ ପୂଜାରୀଙ୍କୁ ୪ ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଜିଲ୍ଲା ଏବଂ ମହେଶ୍ୱର ମହାନ୍ତିଙ୍କୁ ୨ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।
ସାଧାରଣ ନିର୍ବାଚନ ପରେ ୨୦୧୯ ଅଗଷ୍ଟ ମାସରେ ୩୦ଟି ଯାକ ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ବାଣ୍ଟିଥିଲେ ନବୀନ । ଦୁଇବର୍ଷ ପୂରିବାକୁ ଦୁଇମାସ ବାକିଥିବା ବେଳେ ଏହି ତାଲିକାକୁ ବଦଳା ଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବା କରିବା ପାଇଁ ନବୀନଙ୍କ ରଣକୌଶଳର ଏହା ଅଂଶବିଶେଷ ବୋଲି କୁହାଯାଉଛି । ପୁରୁଣା ତାଲିକାରେ ଥିବା ସଞ୍ଜୟ ଦାସବର୍ମା, ଅମର ଶତପଥୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କୃତ୍ତିବାସ ପାତ୍ର ଏବଂ ଆୟୁବ ଖାଁକୁ ନୂଆ ତାଲିକାରେ ବାଦ ଦିଆଯାଇଛି ।
ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ଅଛନ୍ତି ୨୬ ବରିଷ୍ଠ ନେତା । ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଗତଥର କେବଳ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବେଳେ ଏଥର ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ପାଇଛନ୍ତି । ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗତଥର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳି ନ ଥିଲା । ମାତ୍ର ଏଥର ତାଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗତଥର ବଲାଙ୍ଗୀର ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା । ଏଥର ତାଙ୍କୁ ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଚନ୍ଦ୍ରସାରଥୀ ବେହେରାଙ୍କୁ ପୂର୍ବଭଳି କୋରାପୁଟ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।
ବିଜେଡ଼ି ସଭାପତିଙ୍କ ଏହି ନିଯୁକ୍ତିକୁ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
କିଏ କେଉଁ ଜିଲ୍ଲା ଦାୟିତ୍ୱରେ
ବରିଷ୍ଠ ପର୍ଯ୍ୟବେକ୍ଷକ:
ବିକ୍ରମ କେଶରୀ ଆରୁଖଙ୍କ ଦାୟିତ୍ୱରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଳା ଥିବା ବେଳେ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲା ଦିଆଯାଇଛି । ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲା ଦିଆଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାୟିତ୍ୱରେ କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଛଡ଼ାଯାଇଛି । ମହେଶ୍ୱର ମହାନ୍ତିଙ୍କୁ ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
ପର୍ଯ୍ୟବେକ୍ଷକ:
ଅନୁଗୁଳ- ପ୍ରଶାନ୍ତ ମୁଦୁଲି
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରଣବ ବଳବନ୍ତରାୟ
ବଲାଙ୍ଗୀର/ଦେବଗଡ଼- ସୁଶାନ୍ତ ସିଂ
ବୌଦ୍ଧ- ସୌଭାଗ୍ୟ ନାୟକ
କଟକ- ଶ୍ରୀମତୀ ଉଷା ଦେବୀ
ଢ଼େଙ୍କାନାଳ- ବିଜୟ ନାୟକ
ଗଜପତି/ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ
ଜଗତସିଂହପୁର- ସମୀର ରଞ୍ଜନ ଦାଶ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସୁବାସ ସିଂହ
କଳାହାଣ୍ଡି- ନବ କିଶୋର ଦାସ
କନ୍ଧମାଳ- ପ୍ରତାପ ଜେନା
କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
କେନ୍ଦୁଝର/ମୟୁରଭଞ୍ଜ- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ଶ୍ରୀମତୀ ପ୍ରମିଳା ମଲ୍ଲିକ
କୋରାପୁଟ/ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା
ନବରଙ୍ଗପୁର- ତୁଷାରକାନ୍ତି ବେହେରା
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର- ପ୍ରଦୀପ କୁମାର ଅମାତ୍
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ