ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳରେ କର୍ମକର୍ତ୍ତା ଚୟନ ବିରୋଧରେ ବିଦ୍ରୋହ କରି ଦଳରୁ ବିଦା ହୋଇଛନ୍ତି ଯୁବନେତା କଳ୍ପତରୁ ଓଝା । ନୂଆ ଟିମ୍ ରେ କଳ୍ପତରୁ ସାଧାରଣ ସମ୍ପାଦକ ପଦବୀ ପାଇଥିଲେ ମଧ୍ୟ ସନ୍ତୁଷ୍ଟ ନ ଥିଲେ । ଏହି ଟିମ୍ ରେ ଅନଭିଜ୍ଞ ଓ ଦୁର୍ନୀତିଗ୍ରସ୍ତଙ୍କୁ ସ୍ଥାନ ମିଳିଛି ବୋଲି ସୋସିଆଲ୍ ମିଡ଼ିଆରେ ପ୍ରତିକ୍ରିୟା ରଖିଥିଲେ । ଯାହା ତାଙ୍କୁ ମହଙ୍ଗା ପଡ଼ିଛି ।
ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଦଳରୁ ବହିଷ୍କୃତ କରିଥିବା ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
କଳ୍ପତରୁ ଗଣମାଧ୍ୟମକୁ ଦେଇଥିବା ବୟାନରେ ବିଜୁ ଯୁବ ଜନତା ଦଳର ପୁନର୍ଗଠନ ତରିକାକୁ କଡ଼ା ସମାଲୋଚନା କରିବା ସହ ଆଗୁଆ ଦଳରୁ ଇସ୍ତଫା ଦେଇଥିଲେ ବୋଲି ଦାବି କରିଛନ୍ତି । ୧୬ ବର୍ଷ ଧରି ଦଳରେ ଅକ୍ଲାନ୍ତ ପରିଶ୍ରମ କରି ଆସୁଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ଗତକାଲି ସେ ନିଯୁକ୍ତି ପାଇବା ପରେ ପରେ ହିଁ କଳ୍ପତରୁଙ୍କ ବହିଷ୍କାର ପାଇଁ ସଭାପତିଙ୍କୁ ଅନୁମୋଦନ କରିଥିଲେ । ବିଜେଡ଼ିରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି ଶ୍ରୀ ରାୟ କହିଛନ୍ତି ।