ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାରେ ଓଟିଭି ବେନାମୀ କାରବାରର ଗୁମର ଖୋଲିବା ପରେ ପ୍ରଶାସନର ଚେତା ପଶିଛି । ଲୋକଙ୍କ ଜମି ଓ ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରି ନିର୍ମାଣ ହୋଇଥିବା ପାଚେରୀକୁ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବୁଲ୍ ଡୋଜର ଲଗାଇ ଭାଙ୍ଗିଦେଇଛି । ଏହି ପାଚେରୀ ଯୋଗୁଁ ସ୍ଥାନୀୟ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଥିଲେ । ପାଚେରୀ ଦ୍ୱାରା ପ୍ରାକୃତିକ ଜଳସ୍ରୋତ ଅବରୋଧ ହୋଇଥିବାରୁ ସେମାନଙ୍କ ଚାଷଜମି ଶୁଖିଲା ପଡୁଥିଲା । ଏପରିକି ନିଜର ଚାଷଜମିକୁ ପାଦ ମାଡ଼ିବା ଅନେକଙ୍କ ପାଇଁ ସମ୍ଭବ ହେଉ ନ ଥିଲା ।
ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଏହା ବିରୋଧରେ ପ୍ରତିବାଦ ହେଉଥିଲେ ମଧ୍ୟ ପ୍ରଶାସନ ଶୋଇ ପଡ଼ିଥିଲା । ଗତ ମାସେ ଭିତରେ ସ୍ଥାନୀୟ ଗ୍ରାମବାସୀ ଓ ଓଟିଭି ଫନ୍ଦିରେ ଜମି ହରାଇଥିବା କିଛି ଚାଷୀ ଓଟିଭି ଏମଡି ଜାଗୀ ପଣ୍ଡା ଓ ଅନ୍ୟମାନଙ୍କ ବିରୋଧରେ ଜିଲ୍ଲାପାଳ ଓ ପୁଲିସର ଦ୍ୱାରସ୍ଥ ହେବା ପରେ ଯାଇ ଆକ୍ସନ୍ ମୁଡ୍ କୁ ଆସିଛି ପ୍ରଶାସନ ।
ଆଜି ସକାଳୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ବୁଲଡୋଜର ସାହାଯ୍ୟରେ ପାଚେରୀ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି । ତିନୋଟି ବୁଲଡୋଜରକୁ କାର୍ଯ୍ୟରେ ଲଗାଯାଇଛି । ବର୍ଷାଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପ୍ରାକୃତିକ ଜଳସ୍ରୋତ ଏବଂ ଚାଷୀଙ୍କ ଜମି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଅଶୋକ ବେଉରିଆ ଏବଂ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାରୁଅ ମହିଳା ବିକାଶ ସମିତି ନାଁରେ ଓଟିଭି ନିଜର ଏହି ପାଚେରୀ ବୁଲାଇଥିଲା । ଓଟିଭି ସଂସ୍ଥା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ମହିଳାଙ୍କ ବିକାଶ ପ୍ରଲୋଭନ ଦେଖାଇ ମଲ୍ଲିକ ସାହିରେ ସାରୁଅ ମହିଳା ବିକାଶ ନାଁରେ ଏକ ସମିତି ଗଢ଼ାଯାଇଥିଲା । ଏହି ସମିତି ଜରିଆରେ ପକ୍କା ରାସ୍ତା, ପିଇବା ପାଣିର ପ୍ରତିଶ୍ରୁତି ଦିଆଯିବା ସହ ମହିଳାଙ୍କୁ ସ୍ୱାବଲମ୍ବି କରାଯିବ ବୋଲି କୁହାଯାଇଥିଲା । ମାତ୍ର କିଛି ଦିନ ପରେ ଏହାର ଅଫିସ୍ ରେ ତାଲା ପଡ଼ିଥିଲା । ହେଲେ ଏହି ସମିତି ନାଁ କୁ ବ୍ୟବହାର କରି ପାଚେରୀ ନିର୍ମାଣ କରିଥିଲା । ମହିଳାଙ୍କୁ ମୋହରା କରି ଗରିବ ଚାଷୀଙ୍କ ତଣ୍ଟି ଉପରେ ଛିଡ଼ା ହେବାରେ ଓଟିଭିର ଏହି ଧୂର୍ତ୍ତାମୀ ଧରାପଡ଼ିବା ପରେ ଲୋକେ ତାତିଛନ୍ତି ।
ତେବେ ନିଜର ଏହି କାର୍ଯ୍ୟ ପାଇଁ ଓଟିଭି କର୍ତ୍ତୃପକ୍ଷ ଲଜ୍ଜିତ ହେବା ପରିବର୍ତ୍ତେ ସେଠାରେ କୌଣସି ଅବରୋଧ ହୋଇନାହିଁ ବୋଲି ସଫେଇ ଦେଇଛନ୍ତି । ସାରୁଅ ମହିଳା ସମିତି ନାଁ କୁ ନେଇ ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଉଦ୍ୟମ କରାଯାଇଛି । ଆକ୍ରୋଶ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଚେରୀ ଭଙ୍ଗାଗଲା ବୋଲି କୁହାଯାଇଛି ।
ଶେଷ ଖବର ଅନୁଯାୟୀ, ସାରୁଅ ଅଞ୍ଚଳରେ ଓଟିଭି ସଂସ୍ଥାର ନିର୍ମାଣ କାର୍ଯ୍ୟ ବୁଝାସୁଝା କରୁଥିବା ଏମଡି ଜାଗାମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହଙ୍କୁ ଖୋର୍ଦ୍ଧା ଏସଡିପିଓ ପଚାଉଚୁରା କରୁଛନ୍ତି । ଜାଗୀଙ୍କ ସମେତ ତାଙ୍କର ବାପା ଓ ଭାଇ ସାରୁଅ ଜମି ବିବାଦରେ ଫସିଛନ୍ତି । ପ୍ରତିବାଦ କରୁଥିବା ଲୋକଙ୍କୁ ସେମାନେ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି ।
ସୂଚନାଥାଉକି, ସାରୁଅ ମୌଜାରେ ନିଜର ପ୍ରକଳ୍ପ ନିର୍ମାଣ ପାଇଁ ଓଟିଭିର ସାଂଘାତିକ କାରନାମା ଧରାପଡ଼ିଲାଣି । ଅନୁସୂଚୀତ ବର୍ଗ ଲୋକଙ୍କ ଚାଷଜମି ହାତେଇବାକୁ ଓଟିଭି ବିଛାଇଥିବା ଜାଲିଆତି ଜାଲର ଖିଅ ଧରିଛି ପ୍ରଶାସନ । ଜମି ହାତେଇବା ପାଇଁ ଓରଟେଲ୍ ଡ୍ରାଇଭର୍ ଗଞ୍ଜାମର ରବି ସେଠୀଙ୍କୁ କିଭଳି ଡମି ଭାବେ ବ୍ୟବହାର କରାଯାଉଥିଲା ନିଜେ ଶ୍ରୀ ସେଠୀ ଏହାର ବିସ୍ତୃତ ବିବରଣୀ ଦେଇଛନ୍ତି ।
ଏସସି ବର୍ଗର ସାରୁଅ ବାସିନ୍ଦା ହାଲୁରି ପାହାଡ଼ସିଂହଙ୍କ ଜମିକୁ ରବି ସେଠୀଙ୍କ ଜରିଆରେ କିଭଳି ଚଞ୍ଚକତାପୂର୍ଣ୍ଣ ଭାବେ ଓଟିଭି ସଂସ୍ଥା କିଣିଛନ୍ତି ତାହା ପାହାଡ଼ସିଂହ ନିଜ ଅଭିଯୋଗରେ ବିସ୍ତୃତ ଭାବେ ଜଣାଇଛନ୍ତି । ତଦନ୍ତ ବେଳେ ଏହାର ସତ୍ୟାସତ୍ୟ ଧରାପଡ଼ିବା ସହ ଓଟିଭି ଗୁମର କାରସାଦି ଖୋଲିଯାଇଛି । ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଗତକାଲି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ।