ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷର ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ସ୍ଥିତିକୁ ଦେଖି ପରୀକ୍ଷା ବାତିଲ କରାଯାଇଥିବା କୁହାଯାଇଛି ।
ଦ୍ୱାଦଶ ପରୀକ୍ଷା ବାତିଲ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜେ ଟ୍ୱିଟ୍ କରିଛନ୍ତି । ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଏଥିରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ସିବିଏସଇ ଦଶମ ପରୀକ୍ଷାକୁ ପୂର୍ବରୁ ବାତିଲ କରାଯାଇଥିଲା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଦେଶରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ପରୀକ୍ଷା ହେବ କି ନାହିଁ ଦ୍ୱନ୍ଦ ଲାଗି ରହିଥିଲା । ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ଏବଂ ଆସନ୍ତା ୩ ତାରିଖରେ କେନ୍ଦ୍ର ସରକାର ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଉପସ୍ଥିତ ଥିଲେ । ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିୱାଲ୍ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବାରୁ ବୈଠକରେ ଅନୁପସ୍ଥିତ ଥିଲେ ।