ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ମୁକାବିଲା ପାଇଁ ଅନ୍ୟୁନ ୩୦୦ କୋଟି ଟଙ୍କା ଏବଂ ଅନ୍ୟୁନ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିଡ ଟିକା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବେଳେ ନବୀନ ଏହି ପ୍ରସ୍ତାବ ରଖିଛନ୍ତି ।
୨୦୨୦-୨୧ ବର୍ଷରେ କୋଭିଡ୍ ଜରୁରୀ ମୁକାବିଲା(ଏର୍ମଜେନ୍ସୀ କୋଭିଡ ରେସପନ୍ସ ପ୍ଲାନ୍) ପାଇଁ ଓଡ଼ିଶା ୪୦୦ କୋଟି ଟଙ୍କା ମାଗିଥିଲା । ହେଲେ ମିଳିଛି ମାତ୍ର ୧୪୬ କୋଟି ଟଙ୍କା । ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଅନ୍ୟୁନ ୩୦୦ କୋଟି ଟଙ୍କା ଦେବାକୁ ମୋଦିଙ୍କୁ ଅନୁରୋଧ କରିଥିଲେ ନବୀନ ।
ସେହିଭଳି ରାଜ୍ୟରେ ଟିକାକରଣ ସୁବ୍ୟବସ୍ଥିତ ଭାବରେ ଚାଲିଥିଲେ ମଧ୍ୟ ଟିକାର ଅଭାବ ଏଥିରେ ବାଧକ ସୃଷ୍ଟି କରିଛି । ବର୍ତ୍ତମାନ ଦୈନିକ ୨.୫ ଲକ୍ଷ ଟିକାକରଣ କରାଯାଉଛି । ଏହାକୁ ଅଧିକ ବଢ଼ାଇବାର କ୍ଷମତା ମଧ୍ୟ ଆମର ଅଛି । ଟିକାକରଣ ଜାରି ରଖିବା ପାଇଁ ଅନ୍ୟୁନ ୧୦ ଦିନର ଷ୍ଟକ୍ ଯୋଗାଇ ଦେବାକୁ ନବୀନ ଅନୁରୋଧ କରିଥିଲେ ।
୨୦୨୦-୨୧ ରେ ଏସଡିଆରଏଫର ବାର୍ଷିକ ଅନୁଦାନରୁ ୫୦% ଅର୍ଥ କୋଭିଡ୍ ପାଇଁ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ନିୟମ ଜାରି ରଖିବାକୁ ଅନୁରୋଧ କରିଥିଲେ ।
କୋଭିଡ୍ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଅଧିକ ସଂକ୍ରମିତ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆମର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ । କୋଭିଡ୍ ମୁକାବିଲାରେ ସାରା ଦେଶ ଏକାଠି ହୋଇଛି । ଆମେ ଏଥିରେ ସହଯୋଗ ଜାରି ରଖିବୁ ବୋଲି କହିଥିଲେ ।
ଓଡ଼ିଶା ଆସିବାକୁ ହେଲେ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ବସ୍, ଟ୍ରେନ୍ କିମ୍ବା ପ୍ଲେନ୍ ରେ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକେ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ । ଆସିବାର ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେବା ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ନ ଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ । ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ନୂଆ ଗାଇଡଲାଇନ୍ ଜାରି ହୋଇଛି ।
ଅନ୍ୟପକ୍ଷରେ ୧୬ ଟି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ୍ ସେଣ୍ଟର(ଟିଏମସି) କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଶିଳ୍ପ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନମାନେ ନିଜସ୍ୱ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।
ଛତିଶଗଡକୁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି । ୧୦ ତାରିଖଠାରୁ ଏହା ବନ୍ଦ ହେବ । ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ୍ ବନ୍ଦ ହେବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଜି ରେଲୱେ ବୋର୍ଡକୁ ଜଣାଇଛନ୍ତି ।