ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ମାସେ ପୂରିଲା ପରେ ମାମଲାର ତଦନ୍ତ ଭାର କ୍ରାଇବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ ଆଜି ଏହି ନିର୍ଦ୍ଦେଶ ଦେବା ପରେ ଜଣେ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇଛି । ରୋଚକ କଥା ହେଉଛି, ଏ ମାମଲାରେ କ୍ରାଇମବ୍ରାଞ୍ଚଅଧିକାରୀମାନେ ପୁଲିସକୁ ମୂଳରୁ ସହଯୋଗ କରି ଆସୁଥିଲେ । ମାତ୍ର ଏଯାବତ ମୃତ୍ୟୁ ରସହ୍ୟ ଖୋଲିପାରିନାହାନ୍ତି । ଏବେ ଖୋଦ୍ ଡିଜି ତାଙ୍କ ପୁଲିସ ବଳ ଉପରୁ ଆସ୍ଥା ତୁଟାଇ ଏକାକୀ କ୍ରାଇବ୍ରାଞ୍ଚ କୁ ଭରସା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ତାଙ୍କ ସରକାରୀ ବାସଭବନରେ ନିଆଁରେ ପୋଡି ଯାଇଥିଲେ । ତାଙ୍କ ଶରୀର ୯୫ ଭାଗ ପୋଡ଼ି ଯାଇଥିଲା । କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସା ବେଳେ ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୌମ୍ୟରଞ୍ଜନଙ୍କ ବାପା ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ଅନୈତିକ ସମ୍ପର୍କକୁ ନେଇ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦର୍ଶାଇଥିଲେ । ବାପାଙ୍କ ଅଭିଯୋଗ ଭିତ୍ତିରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥଙ୍କ ବିରୋଧରେ ପୁଲିସ ଅପରାଧିକ ମାମଲା ରୁଜୁ କରିଥିଲା ।
ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି । କ୍ରାଇମବ୍ରାଞ୍ଚର ଦୁଇଜଣ ଅଧିକାରୀ ସେମାନଙ୍କୁ ସହଯୋଗ ବି କରୁଥିଲେ । ଉକ୍ତ ଟିମ୍ ବିଦ୍ୟାଭାରତୀଙ୍କ କପ୍ତିପଦା ଘରକୁ ଦୁଇ ଥର ଯାଇ ପଚରାଉଚୁରା କଲେଣି । ହେଲେ ତଦନ୍ତରୁ କ’ଣ ମିଳିଛି ଜଣାପଡ଼ିନାହିଁ । ତେଣେ, ସୌମ୍ୟ ମୃତ୍ୟୁର ୧୧ ଦିନ ପରେ ଡିଏଫଓ ଶ୍ରୀ ବେହେରାଙ୍କୁ ପଚରାଉଚୁରା କରାଯାଇଥିଲା । ମାତ୍ର ୪ ଘଣ୍ଟାର ପଚରାଉଚୁରା ପରେ ଗଜପତି ଏସପି ତପନ ପଟ୍ଟନାୟକ ଏକ ପ୍ରେସ୍ ମିଟ୍ ରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇଦେଲେ । ରୋଷେୟାଙ୍କୁ ମଧ୍ୟ ପୁଲିସ କ୍ଲିନ୍ ଚିଟ୍ ଦେଇଦେଲା ।
ଡିଏଫଓଙ୍କ ଭୂମିକା ସନ୍ଦେହଘେରରେ ଥିଲା ବେଳେ ପୁଲିସ ତାଙ୍କୁ କ୍ଲିନ ଚିଟ୍ ଦେବା ଏବଂ ଏ ପର୍ଯ୍ୟନ୍ତ ମୃତ୍ୟୁ କାରଣ ସ୍ପଷ୍ଟ ନ ହେବା ମାମଲାକୁ ଅଧିକ ସନେ୍ଦହଘେରକୁ ଟାଣିନେଇଛି । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଡିଏଫଓଙ୍କୁ ସୁରକ୍ଷା ଦେଇ ମାମଲାକୁ ରଫାଦଫା କରିବାରେ ସହଯୋଗ କରୁଥିବା ସୌମ୍ୟଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଛି ।