ଓଟିଭି ବିରୋଧରେ ଲୋକସଭା ବାଚସ୍ପତିଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଲେ ଚନ୍ଦ୍ରାଣୀ
ଭୁବନେଶ୍ୱର: ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିବାର ଧୃଷ୍ଟତା କରିଥିବା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରତିବାଦ ସ୍ୱର ତୀବ୍ର ହେବାରେ ଲାଗିଛି । ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବାକୁ ପୁଲିସରେ ଏତଲା ବି ହେଲାଣି । ବୈଜୟନ୍ତଙ୍କ ଇଂରାଜୀ ଟୁଇଟ୍ କୁ ଲୋକେ କୁଆଡ଼େ ଠିକ୍ ବୁଝିପାରିନାହାନ୍ତି । ସେଥିପାଇଁ ଜାତୀୟ ପ୍ଲାଟଫର୍ମରେ ପ୍ରାଂଜଳ ଇଂରାଜୀରେ ଓଡ଼ିଆ ଅର୍ଥ ବୁଝାଇଛନ୍ତି । ଯାହା ତାଙ୍କ ପାଇଁ ଅଧିକ ବିପଦ ଆଣିଛି । ସେପଟେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଜି ଓଟିଭି ବିରୋଧରେ ଲୋକସଭା ବାଚସ୍ପତିଙ୍କ ପାଖକୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ପଠାଇଛନ୍ତି । ଓଟିଭି ମିଥ୍ୟା ଖବର କରି ତାଙ୍କୁ ବଦନାମ ଓ ମାନସିକ ନିର୍ଯ୍ୟାତନା ଦେଇଛି । ତାଙ୍କର ଜାଲ୍ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ କରିଥିବା ସାମ୍ବାଦିକଙ୍କୁ ଖସାଇ ଦେବାକୁ ଚେଷ୍ଟା କରାଯାଉଛି । ଓଟିଭି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନ୍ୟାୟ ଭିକ୍ଷା କରିଛନ୍ତି ଏହି ଆଦିବାସୀ ସର୍ବକନିଷ୍ଠା ସାଂସଦ ।
ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିଥିବା ବୈଜୟନ୍ତ ପଣ୍ଡାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବାକୁ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଆଜି କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଛି । ଆବାହକ ଅମୀୟ ପାଣ୍ଡବ କହିଛନ୍ତି, ବୈଜୟନ୍ତଙ୍କ ମନ୍ତବ୍ୟ କଦାପି ବରଦାସ୍ତ କରିହେବନାହିଁ । ତାଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ ସେ ଚରମ ନୈରାଶ୍ୟ ଭିତରେ ଅଛନ୍ତି ଏବଂ ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ନିଜ ମାଟିକୁ ଅଧିକ ଭଲ ପାଇବାର ଛଳନା କରୁଥିବା ବୈଜୟନ୍ତ ଜଣେ ଡାହାଣୀ । ଏଭଳି ହୀନ ମାନସିକତା ବ୍ୟକ୍ତିଙ୍କୁ ଦେଶଦ୍ରୋହ ମାମଲାରେ ତୁରନ୍ତ ଗିରଫ କରାଯାଉ ବୋଲି ଅମୀୟ ଦାବି କରିଛନ୍ତି ।
ସେହିଭଳି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଓଡ଼ିଶା ଯୁବ ସାମ୍ମୁଖ୍ୟ ଓ ଓଡ଼ିଶା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବୈଜୟନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ରାଜ୍ୟବାସୀଙ୍କୁ ବୈଜୟନ୍ତ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ସମ୍ବଳପୁର, ଝାରସୁଗୁଡ଼ାରେ ମଧ୍ୟ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ଆଦିବାସୀ ସଂଗଠନଗୁଡ଼ିକ ପକ୍ଷରୁ ବୈଜୟନ୍ତଙ୍କ ଟୁଇଟ୍ କୁ କଡ଼ା ସମାଲୋଚନା କରାଯାଇ ଆନ୍ଦୋଳନର ଧମକ ଦିଆଯାଇଛି ।
ବୈଜୟନ୍ତଙ୍କ ଟୁଇଟ୍ ମନ୍ତବ୍ୟକୁ ନେଇ ରାଜନୈତିକ, ବୁଦ୍ଧୀଜୀବୀ ମହଲରୁ ପ୍ରତିକ୍ରିୟା ମଧ୍ୟ ତୀବ୍ର ହେବାରେ ଲାଗିଛି । ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରିବା ଅତ୍ୟନ୍ତ ନିନ୍ଦନୀୟ । ଏଥିପାଇଁ ବୈଜୟନ୍ତ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି । ଏପରିକି ରାଜ୍ୟ ବିଜେପି ନେତୃତ୍ୱ ତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସମର୍ଥନରେ ବାହାରିନାହିଁ । ଆମେ ବୈଜୟନ୍ତଙ୍କ ସପକ୍ଷରେ ନାହୁଁ । ରାଜ୍ୟର ସ୍ୱାର୍ଥ ଓ ସମ୍ମାନର ପ୍ରଶ୍ନ ଆସିଲେ ବିଜେପି ତାକୁ ସମର୍ଥନ କରିପାରିବ ନାହିଁ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।
ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ବିଧାୟକ ସୁର ରାଉତରାୟ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ବୈଜୟନ୍ତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ବୈଜୟନ୍ତ ଓଡ଼ିଶା ମାଟିରୁ ସାଂସଦ ଓ ଶିଳ୍ପପତି ହୋଇଛନ୍ତି । ଏହି ମାଟିକୁ ଅପମାନ କରିଥିବାରୁ କ୍ଷମା ମାଗନ୍ତୁ ବୋଲି ସେମାନେ କହିଛନ୍ତି । ବୈଜୟନ୍ତଙ୍କୁ ଯଦି ପାକିସ୍ଥାନ ଏତେ ମନେପଡୁଛି ତେବେ ସେଠି ଯାଇ ରହନ୍ତୁ ବୋଲି ସୁର କହିଛନ୍ତି ।
ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆଗରୁ ବୈଜୟନ୍ତଙ୍କୁ ଓଡ଼ିଶା ଭାରି ଭଲ ଲାଗୁଥିଲା । ମାତ୍ର ବିଜେପିକୁ ଗଲା ଦିନୁ ଓଡ଼ିଶା ତାଙ୍କୁ ପାକିସ୍ଥାନ ଭଳି ଲାଗୁଛି । ତାଙ୍କୁ ଲଜ୍ଜା ଲାଗୁନି କେମିତି?