କଟକ: ପୁଲିସ କବଳରୁ ଖସି ପଳାଇଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର । କଟକ ଏସସିବିରେ ଚିକିତ୍ସିତ ହେଉଥିବା ହାଇଦର ତାକୁ ଜଗିଥିବା ସୁରକ୍ଷାକର୍ମୀଙ୍କୁ କୋଲଡ୍ ଡ୍ରିଙ୍କସ୍ ରେ ନିଶା ଦେଇ ଚମ୍ପଟ୍ ମାରିଛି । ଏକାଧିକ ହତ୍ୟାକାଣ୍ଡରେ ଜେଲ୍ ରେ ସଜ୍ଜା ଭୋଗୁଥିବା ହାଇଦର ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଥିଲା । ହାଇଦର ଫେରାର ଘଟଣାରେ ସୁରକ୍ଷା ବ୍ୟବସ୍ଥାର ସାଂଘାତିକ ତ୍ରୁଟି ସାମନାକୁ ଆସିଛି । ଘଟଣାଟି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।
ସମ୍ବଲପୁର ସର୍କଲ୍ ଜେଲ୍ ରେ ସଜ୍ଜା ଭୋଗୁଥିବା ହାଇଦର ଗଲ୍ ବ୍ଲାଡର୍ ଷ୍ଟୋନ୍ ଅପରେସନ୍ ପାଇଁ ପ୍ରଥମେ ବୁର୍ଲା ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲା । ମାତ୍ର ପରେ କଟକ ଏସସିବିକୁ ସ୍ଥାନାନ୍ତରିତ ହୋଇ ସର୍ଜରୀ ବିଭାଗର ୫ ନଂ କ୍ୟାବିନ୍ ରେ ରହୁଥିଲା । ହାଇଦରକୁ ଜଗିବା ପାଇଁ ଜଣେ ମାତ୍ର କନେଷ୍ଟବଳ ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟାରେ ହାଇଦର ତାର ଜଣେ ସହଯୋଗୀକୁ ବାହାରକୁ ପଠାଇ ଏକ କୋଲଡ୍ ଡ୍ରିଙ୍କସ୍ କିଣି ଆଣିଥିଲା । ସେଥିରେ ନିଶା ମିଶାଇ ସଂପୃକ୍ତ କନେଷ୍ଟବଳକୁ ପିଆଇଥିଲେ । ଏଥିପାଇଁ ସୁଚିନ୍ତିତ ଯୋଜନା ପୂର୍ବରୁ ହୋଇଥିଲା । ନିଶା ମିଶା କୋଲଡ୍ ଡ୍ରିଙ୍କସ୍ ପିଇ କନେଷ୍ଟବଳ ଅଚେତ ହୋଇଯିବା ପରେ ହାଇଦର ପୂର୍ବ ଯୋଜନା ଅନୁଯାୟୀ ଫେରାର ହୋଇଯାଇଛି ।
ସୁଲେମାନ୍, ଚୁନା ଓ ରଶ୍ମିରଞ୍ଜନ ହତ୍ୟାକାଣ୍ଡ ଭଳି ଏକାଧିକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହାଇଦର ଦୀର୍ଘ ବର୍ଷ ଧରି ଝାରପଡ଼ା ଜେଲ୍ ରେ ରହୁଥିଲା । ୨୦୧୭ ମସିହାରେ ଜେଲ୍ ଭିତରେ ଏକ ଗ୍ୟାଙ୍ଗୱାର୍ ଘଟଣା ପରେ ତାକୁ ସମ୍ବଲପୁର ସର୍କଲ୍ ଜେଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ସେବେଠାରୁ ସେଠାରେ ରହି ଆସୁଥିଲା ।
ହାଇଦର ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ କୁ ମେଡ଼ିକାଲ୍ ରେ ଜଗିବା ପାଇଁ ଜଣେ ମାତ୍ର ସୁରକ୍ଷାକର୍ମୀ କିଭଳି ରହିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏଥିସହ ଜେଲ୍ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ସାମନାକୁ ଆସିଛି । ଏସସିବିରେ ହାଇଦର ଚିକିତ୍ସିତ ହେଉଥିଲେ ମଧ୍ୟ ମଙ୍ଗଳାବାଗ ଥାନା ପୁଲିସ ପାଖରେ ଖବର ନ ରହିବା ଆହୁରି ଆଶ୍ଚର୍ଯ୍ୟର ବିଷୟ ହୋଇଛି ।
ହାଇଦରକୁ ଧରିବା ପାଇଁ ପୁଲିସ ପକ୍ଷରୁ ବଛା ବଛା ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଛାନଭିନ୍ ଆରମ୍ଭ ହୋଇଥିବା ଜଣାପଡ଼ିଛି ।