ଖୋର୍ଦ୍ଧା: ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ଖେଳ ଖତମ୍ ହୋଇଛି । ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟ ଏହି ବାପ-ପୁଅଙ୍କ ଜାମିନ୍ ଆବେଦନ ନାମଞ୍ଜୁର କରି ଖୋର୍ଦ୍ଧା ସବ୍ ଜେଲ୍ କୁ ପଠାଇ ଦେଇଛନ୍ତି । ସେମାନଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ ଷଡ଼ଯନ୍ତ୍ର, ପୋଡ଼ି ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲାଗିଛି ।
ଆଜି ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ମାନସ ଦାସଙ୍କ ସହିଦନଗର ଘରୁ ତାଙ୍କୁ ଉଠାଇ ନେଇଥିଲା । ପରେ ତାଙ୍କ ପୁଅ ମନୋରଞ୍ଜନଙ୍କୁ ମଧ୍ୟ ଉଠାଇଥିଲା । ସେମାନଙ୍କୁ ଖୋର୍ଦ୍ଧାର ଏକ ଅଜଣା ଜାଗାକୁ ନିଆଯାଇ ଜେରା କରାଯାଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ଆଇଜି ଏକ ସାମ୍ବାଦିକ ସମ୍ମିଳନୀ କରି ବାପ-ପୁଅଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ।
ମାନସ ଦାସଙ୍କୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ କରାଯାଇଥିଲା ବେଳେ ପୁଅ ମନୋରଞ୍ଜନଙ୍କୁ ବାପ-ପୁଅ ମାଗୁଣୀ ନାୟକ ଓ ଆନନ୍ଦ ନାୟକଙ୍କୁ ନିର୍ମମ ମାଡ଼ ଘଟଣାରେ ଗିରଫ କରାଯାଇଥିବା ଆଇଜି ଶ୍ରୀ ଭୋଳ କହିଥିଲେ ।
ଆଇଜିଙ୍କ କହିବାନୁଯାୟୀ, ଅଭିମାନପୁରର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଅଗଷ୍ଟ ୩ ତାରିଖରେ ତାଙ୍କ ପୁତୁରା ବସନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ମାମଲାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଥ୍ୟ ଓ ପ୍ରମାଣରେ ଲାଗିଥିଲା । ଗିରଫଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲୁ । ଜେରା ବେଳେ ମାନସଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି ।
ସେ ହତ୍ୟାକାଣ୍ଡରେ ସିଧାସଳଖ ସଂପୃକ୍ତି ନ ଥିଲେ ବି ପରୋକ୍ଷରେ ଅପରାଧ ଘଟାଇଥିଲେ । ମାନସଙ୍କ ବିରୋଧରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି । ମାନସଙ୍କ ନାଁରେ ଆଉ ଯେଉଁସବୁ ଅଭିଯୋଗ ଆସିଛି, ତାହାର ତଦନ୍ତ ଚାଲିଛି ବୋଲି ଆଇଜି ଶ୍ରୀ ଭୋଳ କହିଥିଲେ । ସେହିଭଳି କଡ଼ବ ଗାଁର ବାପା-ପୁଅଙ୍କୁ ମାଡ଼ ମାମଲାରେ ମନୋରଞ୍ଜନ ଗିରଫ ହୋଇଥିବା କହିଥିଲେ ।