ଭୁବନେଶ୍ୱର: ଗତବର୍ଷ କରୋନା ପିକ୍ ବେଳେ ଆମ ରାଜ୍ୟରେ ୮ ହଜାର କରୋନା ରୋଗୀ ଚିକିତ୍ସିତ ହେଉଥିଲେ । ମାତ୍ର ଏହି ଦ୍ୱିତୀୟ ଲହରରେ ବର୍ତ୍ତମାନ ୧୫ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୩ ହଜାର ରୋଗୀ ଗୁରୁତର ଅବସ୍ଥାରେ ଆଇସିୟୁ ଏବଂ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି ।
କରୋନା ସଂକ୍ରମଣର ଭୟାବହତା ବର୍ଣ୍ଣନା କରିବାକୁ ଯାଇ ଆଜି ରାଜ୍ୟବାସୀଙ୍କୁ ଏହି ତଥ୍ୟ ଶୁଣାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ପରିପ୍ରେକ୍ଷୀରେ ଜନସାଧାରଣ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ଏବଂ ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, ରାଜ୍ୟରେ ଲକଡାଉନ୍ ରୁ ସୁଫଳ ମିଳୁଛି । ଅନ୍ୟ ରାଜ୍ୟ ତୁଳନାରେ ଆମ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ । ୧୦ ଟି ଜିଲ୍ଲାରେ ସଂକ୍ରମଣ ହାର ସ୍ଥିର ବା ହ୍ରାସ୍ ପାଇବାକୁ ଆରମ୍ଭ କରିଛି । ଗତ ୧୦ ଦିନ ହେଲା ରାଜ୍ୟରେ ସଂକ୍ରମଣ ହାର ୧୦ ରୁ ୧୨ ହଜାର ମଧ୍ୟରେ ରହୁଛି । ଆମେ କୋଭିଡ୍ ନିୟମକୁ ମାନି ଚଳିଲେ ସଂକ୍ରମଣ ହାର କମେଇ ପାରିବା ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ଟିକାର ଗ୍ଲୋବାଲ୍ ଟେଣ୍ଡରକୁ କ୍ୟାବିନେଟ୍ ମଂଜୁର ଦେବା ପରେ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତକାଲି ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରାଯାଇଛି ଏବଂ ୨୮ ଶେଷ ତାରିଖ ରଖାଯାଇଛି । ଓଡ଼ିଶା ଔଷଧ ନିଗମ ୱେବସାଇଟ୍ ରେ ଏହାର ଦସ୍ତାବିଜ୍ ଅପଲୋଡ କରାଯାଇଛି । ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ ଟେଣ୍ଡର ହୋଇଛି ଏବଂ ଯୋଗାଣ ପାଇଁ ୪ ମାସ ସମୟ ଦିଆଯାଇଛି । ଯେତେଶୀଘ୍ର ଟିକା ଆସିବ, ଲୋକଙ୍କୁ ମହାମାରୀରୁ ରକ୍ଷା କରାଯାଇପାରିବ ବୋଲି ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।
ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଟି ହେଉଛି, ସାର୍ବଜନୀନ ଟିକାକରଣ ଏବଂ କରୋନାରୁ ପ୍ରତିହତ ପାଇଁ ରାଜ୍ୟ ସରକାର ଖ୍ୟାତାନାମା ଡାକ୍ତର ଓ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଡାକ୍ତର ଶ୍ରୀନାଥ ରେଡ୍ଡୀ ଏହାର ଅଧ୍ୟକ୍ଷ ଥିଲା ବେଳେ ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡା ପ୍ରମୁଖ ସଦସ୍ୟ ଅଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହାର ଆବାହକ ଅଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏହି କମିଟିର ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବେ ।
ବରିଷ୍ଠ ନାଗରିକଙ୍କୁ ସାହା ହେବ ବିଏମସି
ବିଏମସି ନୂଆ କମିଶନର ସଞ୍ଜୟ ସିଂହ ଆଜି ତାଙ୍କର ପ୍ରଥମ ପ୍ରେସ୍ ବାର୍ତ୍ତାରେ ବିଏମସି ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଯେଉଁମାନେ ଘରେ ଏକାକୀ ରହୁଛନ୍ତି, ସେମାନଙ୍କୁ ଯଦି ଟେଷ୍ଟିଂ ଦରକାର ପଡେ ତେବେ ନିଜେ ଟେଷ୍ଟିଂ ସେଣ୍ଟରକୁ ନ ଯାଇ ୧୯୨୯ କୁ କଲ୍ କରିବେ । ବିଏମସି ଟିମ୍ ସଂପୃକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୁନା ସଂଗ୍ରହ କରି ଆଣିବେ । ଆସନ୍ତା ସୋମବାରଠାରୁ ଏହା କାର୍ଯ୍ୟକାରୀ ହେବ ।
ସେହିଭଳି ଟିକାକରଣ ପାଇଁ ବରିଷ୍ଠ ନାଗରିକମାନେ କେନ୍ଦ୍ରକୁ ଯାଇ ଅପେକ୍ଷା କରିବାକୁ ପଡ଼ିବନି । ୧୯୨୯ କୁ କଲ୍ କଲେ ବିଏମସି ଟିମ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଗାଡ଼ିରେ ବସାଇ ଟିକାକେନ୍ଦ୍ରକୁ ନେବେ ଏବଂ ଟିକା ନେଇ ସାରିଲା ପରେ ଘରେ ଛାଡ଼ିବେ ।
ଏହାଛଡ଼ା ବିଏମସି ପକ୍ଷରୁ ଭୁବନେଶ୍ୱରରେ ବେଡ୍ ସଂଖ୍ୟା ଓ ଅକ୍ସିଜେନ୍ ଯୋଗାଣ ବଢ଼ାଇବାକୁ ପଦକ୍ଷେପ ନିଆଯାଉଥିବା ଶ୍ରୀ ସିଂହ କହିଛନ୍ତି । ବିଏମସି ର ୨୫ ଲାଇନ୍ ବିଶିଷ୍ଟ କଲ୍ ସେଣ୍ଟରରେ ଆହୁରି ୫ଟି ଲାଇନ୍ ସଂଯୋଗ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଥିଲେ । ୧୯୨୯ କୁ ପୂରା ଉପଯୋଗ କରନ୍ତୁ । ଆମେ ନିଶ୍ଚିତ ଭାବେ ଆପଣଙ୍କ ପାଖେ ପହଞ୍ଚିବୁ ବୋଲି କହିଛନ୍ତି ନୂଆ ବିଏମସି କମିଶନର ।