ଭୁବନେଶ୍ୱର: ନିଟ୍ ଟପର୍ ରାଉରକେଲାର ସୋଏବ ଅଫତାବଙ୍କ ପରେ ସର୍ବଭାରତୀୟସ୍ତରରେ ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛନ୍ତି ଓଡ଼ିଆ ଝିଅ ଆଦିତି ପରିଡ଼ା । Combined Defence Service(CDS) ପରୀକ୍ଷାରେ ମହିଳାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆଦିତି । ଗତକାଲି ଏହାର ରେଜଲ୍ଟ ପ୍ରକାଶ ପାଇଛି । ସିଏଡ଼ିଏସ୍ ଭଳି କଠିନ ଓ ସମ୍ମାନଜନକ ପରୀକ୍ଷାରେ ଏଭଳି କୃତିତ୍ୱ ହାସଲ କରିବାରେ ଆଦିତି ପ୍ରଥମ ଓଡ଼ିଆ ଝିଅ ।
ଏହି ପରୀକ୍ଷାରେ ୬୭ ମହିଳାଙ୍କ ସମେତ ସମୁଦାୟ ୨୪୧ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଆଦିତିଙ୍କ ସଫଳତା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ହୋଇଛି । ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ସେ ଯୋଗଦେବେ ।
ଢ଼େଙ୍କାନାଳ ଜିଲ୍ଲାର ନାଧରା ଗାଁରେ ଜନ୍ମିତ ଆଦିତି ଜଣେ ମେଧାବୀ ଛାତ୍ରୀ । ଆର୍ମି ସ୍କୁଲରେ ପାଠ ପଢୁଥିଲା ବେଳେ ୨୦୧୬ ମସିହାରେ ଜାତୀୟ ଡିବେଟ୍ କମ୍ପିଟେସନ୍ ରେ ଚମ୍ପିଅନ୍ ହୋଇଥିଲେ । ପୁନେର ସିମ୍ବିଓସିସ୍ କଲେଜରୁ ମାସ୍ କମୁ୍ୟନିକେସନ୍ ରେ ଗ୍ରାଜୁଏସନ୍ କରିଛନ୍ତି ସେ । ପାଠ ସହ ନୃତ୍ୟ ଓ ଖେଳକୁଦରେ ତାଙ୍କର ପ୍ରବଳ ରୁଚି ରହିଛି । ଓଡ଼ିଶୀ ଓ ଭାରତନାଟ୍ୟମ୍ ରେ ସେ ନିପୁଣା । ବିଶ୍ୱବିଦ୍ୟାଳୟ ଭଲିଭଲ୍ ଟିମ୍ ରେ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ ।
ଭାରତୀୟ ସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ତାଙ୍କର ପିଲାଦିନରୁ ସ୍ୱପ୍ନ ଥିଲା ବୋଲି ଆଦିତି କହିଛନ୍ତି । ଯଦିଓ ଏନଡିଏ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା, ମାତ୍ର ମେରିଟ୍ ଲିଷ୍ଟ୍ ରେ ଟପ୍ କରିବେ ବୋଲି କେବେ ଭାବି ନ ଥିଲେ ବୋଲି କହିଛନ୍ତି ।
ଆଦିତିଙ୍କ ବାପା ଭୂଦେବ ପରିଡ଼ା ଭାରତୀୟ ସେନାରେ ବ୍ରିଗେଡିୟର୍ ଅଛନ୍ତି । ମାଆ ସୁଜାତା ପରିଡ଼ା ଗୃହିଣୀ । ଝିଅର ସଫଳତାରେ ସେମାନେ ଅତ୍ୟନ୍ତ ଗର୍ବିତ ଏବଂ ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି କହିଛନ୍ତି । ପିଲାଦିନୁ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟରେ ବିଶ୍ୱାସ କରନ୍ତି ବୋଲି ଆଦିତିଙ୍କ ମାଆ କହିଛନ୍ତି ।