ଭୁୁବନେଶ୍ୱର: ଭୁବନେଶ୍ୱରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ଆଜି ମାସେ ପୂରିଛି । ମାତ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇନାହିଁ । ଓଟିଭିର ୨ କର୍ମଚାରୀ, ୨ ସୁରକ୍ଷା କର୍ମୀ, ଜଣେ ପୁଲିସ ସମେତ ୭ ଅଭିଯୁକ୍ତ ଏବେ କେଉଁଠି ପୁଲିସ ପାଖରେ ଖବର ନାହିଁ । ପୋକସୋ ଆକ୍ଟ ଲଗାଇ ସତେ ଯେମିତି ପୁଲିସ ଚୁପ୍ ବସିଯାଇଛି ।
ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ଖବର ଜାଣି ବି ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ପୁଲିସକୁ ଜଣାଇନଥିଲେ । ବରଂ ଚାପିଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ରହିଛି । ହେଲେ ପୁଲିସର କାର୍ଯ୍ୟାନୁଷ୍ଠାନ ନାହିଁ ।
ଏତେବଡ଼ ସମ୍ବେଦନଶୀଳ ମାମଲାରେ ପୁଲିସ ତଦନ୍ତର ଶିଥିଳତାକୁ ନେଇ ଆଜି ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବିରେ ଗୌତମ ସିଦ୍ଦିକ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ପୁଲିସ ତଦନ୍ତ ଉପରେ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ଦୁଇଦିନ ତଳେ ମାମଲାର ଶୁଣାଣି କରି ପୁଲିସଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ହାଇକୋର୍ଟ । ଆଜି ପୁଲିସ ପକ୍ଷରୁ ଏହି ରିପୋର୍ଟ ଦାଖଲ କରାଯାଇଥିଲା । ଯେଉଁଥିରେ ହାଇକୋର୍ଟ ସନ୍ତୁଷ୍ଟ ହୋଇନାହାନ୍ତି ।
ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ପୁଲିସର ତଦନ୍ତ ଧାରା କିଭଳି ଯାଉଛି ତାହା ଦେଖିବାର କଥା । ସେପଟେ ମହିଳା କମିଶନଙ୍କ ପକ୍ଷରୁ ଓଟିଭି ଏମଡିଙ୍କୁ ଅକ୍ଟୋବର ୧ ତାରିଖ ତଥା ଆସନ୍ତାକାଲି ହାଜର ହେବାକୁ ସମନ୍ କରାଯାଇଛି । ପ୍ରଥମ ସମନ୍ ରେ ଏମଡି ଜାଗୀ ପଣ୍ଡା ମହିଳା କମିଶନଙ୍କ ଅଫିସ୍ ଯାଇଥିଲେ ମଧ୍ୟ ଶୁଣାଣିରେ ଉପସ୍ଥିତ ହୋଇନଥିଲେ । ଅନ୍ୟ କାମ ବାହାନାରେ ପଳାଇ ଆସିଥିଲେ । ଏଥର ମହିଳା କମିଶନଙ୍କ ପକ୍ଷରୁ ଡିସିପିଙ୍କ ଜରିଆରେ ତାଙ୍କୁ ସମନ୍ କରାଯାଇଛି ।