ବାଲେଶ୍ୱର: ବହୁ ଚର୍ଚ୍ଚିତ ଚାନ୍ଦିପୁର ପ୍ରତିରକ୍ଷା କ୍ଷେପଣାସ୍ତ୍ର ଘାଟିର ତତ୍କାଳୀନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାର ଆଇଏସଆଇ ଲିଙ୍କ୍ ପ୍ରମାଣିତ ହୋଇଛି । ବାଲେଶ୍ୱର ଏଡିଜେ କୋର୍ଟ ତାଙ୍କୁ ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।୨୦୧୪ ଡିସେମ୍ବର ୨୨ରେ ଈଶ୍ୱର ଚାନ୍ଦିପୁର ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ରେ ଅଛନ୍ତି ।
ମୟୁରଭଞ୍ଜ କଣ୍ଟିପୁର ଅଞ୍ଚଳର ଈଶ୍ୱର ବେହେରା ଡିଆରଡିଓରେ ଠିକା ଫଟୋଗ୍ରାଫର ଭାବେ କାମ କରୁଥିଲା ବେଳେ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଦସ୍ତାବିଜ୍ ଦେଉଥିଲେ । ବିଭିନ୍ନ କ୍ଷେପଣାସ୍ତ୍ରର ପରୀକ୍ଷା ବେଳେ ଆଇଏସଆଇକୁ ଆଗୁଆ ସୂଚନା ଏବଂ ଫଟୋ ପଠାଉଥିଲେ । ରାଜ୍ୟ ବାହାରେ ବିଭିନ୍ନ ଆଇଏସଆଇ ଏଜେଣ୍ଟଙ୍କ ସହ ଯୋଡି ହୋଇଥିଲେ ଈଶ୍ୱର ।
ପାକିସ୍ଥାନ ମିରଟର ଜଣେ ଲୋକ ସହ ଫୋନ୍ ରେ କଥାବାର୍ତ୍ତା ତାଙ୍କୁ ଧରାପକାଇ ଦେଇଥିଲା । ଆଇଏସଆଇକୁ ସବୁ ଗୁପ୍ତ ତଥ୍ୟ ଦେଇଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ତାଙ୍କ ଆକାଉଣ୍ଟକୁ ରାଜ୍ୟ ଓ ଦେଶ ବାହାରୁ ଟଙ୍କା ଆସୁଥିଲା । ଚାନ୍ଦିପୁର ପୁଲିସ ତାଙ୍କୁ ଗିରଫ କରି ଦେଶଦ୍ରୋହ, ଅପରାଧିକ ଷଡ଼ଯନ୍ତ୍ର, ଗୁପ୍ତତଥ୍ୟ ପ୍ରଘଟ ଆଦି ସଙ୍ଗୀନ ଦଫା ଲଗାଇଥିଲା । ଯାହା କୋର୍ଟରେ ସତ ବୋଲି ପ୍ରମାଣିତ ହୋଇଛି ।
ଆଜି ବାଲେଶ୍ୱର ଏଡିଜେ ଗିରିଜା ଶଙ୍କର ମହାପାତ୍ର ତାଙ୍କ ରାୟ ଶୁଣାଇବା ବେଳେ ଈଶ୍ୱରଙ୍କ ଅପରାଧକୁ ସହଜରେ ଗ୍ରହଣ କରିପାରି ନ ଥିଲେ । ତାଙ୍କୁ ଯେତେ ଦଣ୍ଡ ଦେଲେ ମଧ୍ୟ କମ ହେବ ବୋଲି ବିଚାରପତି କହିଥିଲେ ।
ସୂଚନାଯୋଗ୍ୟ, ଏହି ମାମଲାରେ ସମୁଦାୟ ୨୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।