ଭୁବନେଶ୍ୱର: ଆଜି ପବିତ୍ର ନୂଆଖାଇ ଅବସରରେ ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ପ୍ରତି ଚାଷୀଙ୍କ ଆକାଉଣ୍ଟରେ ଦୁଇ ହଜାର ଟଙ୍କା ଜମା କରାଯାଇଛି ।
ସରକାର ସବୁବେଳେ ଚାଷୀମାନଙ୍କ ସାଥିରେ ଅଛନ୍ତି । ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ । ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଚଳିତ ବର୍ଷ କମ୍ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍ ବର୍ଷା ହୋଇଛି । ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଖାଇ ହେଉଛି ମାଟି ମା ର ପର୍ବ । ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।
ନୟାଗଡ଼ରୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ ।
କାର୍ଯ୍ୟକ୍ରମ ରେ ସେମାନଙ୍କ ମତ ରଖିଥିଲେ ସମ୍ଵଲପୁରର ମକରଧ୍ବଜ ମେଣ୍ଡଳି ବରଗଡର ଲାସିମା ବିଶ୍ବାଳ ,ରାଧାକାନ୍ତ ବଲାଙ୍ଗୀର ର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କୃଷି ସଚିବ ଏସ୍ କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।