ଭୁବନେଶ୍ୱର: କୋଣାର୍କ ମନ୍ଦିର ପ୍ରବେଶସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ନିର୍ମାଣ ହେବ କୋଣାର୍କ ଏଣ୍ଟ୍ରି ପ୍ଲାଜା । ଗାଡ଼ିମଟର ପାର୍କିଂ ପାଇଁ ମଲଟି ମୋଡାଲ୍ ହବ୍ Multi modal hub ନିର୍ମାଣ ହେବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁର୍ନବିନ୍ୟାସ କରାଯିବ । ମନ୍ଦିର ସଂଲଗ୍ନ ସବୁ ରାସ୍ତାର ବିକାଶ କରାଯିବ । ମନ୍ଦିର ସମ୍ମୁଖରେ ଥିବା ୩୦ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କେପିଂ କରାଯିବ । ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ୍ ରୋଡକୁ ୬ ଥାକିଆ କରାଯିବ । ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହେବ । ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ ।
ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏହି କାର୍ଯ୍ୟକ୍ରମର ଅଂଶ ଭାବେ କୋଣାର୍କ ଐତିହ୍ୟ ଅଞ୍ଚଳର ଏହା ହେଉଛି ବିକାଶର ଚିଠା । କୋଣାର୍କକୁ ପ୍ରତିଦିନ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆର୍ନ୍ତଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଚିଠା ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିର ଗାରିମାର ସୁରକ୍ଷା, ପର୍ଯ୍ୟଟକମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ । କୋଣାର୍କ ମନ୍ଦିରର ପାରିପାଶ୍ୱିର୍କ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।
ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଉପସ୍ଥାପନା କରାଯାଇଥିଲା । ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାର ଏହାକୁ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ଚିଠା ପ୍ରସ୍ତାବ ଉପରେ ଜନସାଧାରଣଙ୍କ ମତାମତ ବି ଆହ୍ୱାନ କରାଯାଇଛି । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନରେ ଦେଇପାରିବେ ।
ସୂଚନାଥାଉକି, କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାଦ୍ଦୀର ଏହି ଅନୁପମ କୀର୍ତ୍ତି ତାର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଆସିଛି । ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିର ର ମୁଖ୍ୟ ଅଂଶ ଭାଂଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀ ମାନଙ୍କର ଦକ୍ଷତାର ଜୟଗାନ କରିଆସୁଛି । ଏହି ମନ୍ଦିର ତତ୍କାଳୀନ ଓଡିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ। ମନ୍ଦିର ଗାତ୍ରରେ ଜିରାଫର ଚିତ୍ର ଆଫ୍ରିକୀୟ ଦେଶ ମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ ମସିହାରେ UNESCO କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି ।