ଭୁବନେଶ୍ୱର: ଯଦି ଆପଣ ଚାହାଁନ୍ତି ଆପଣଙ୍କ ରୋଜଗାର ବନ୍ଦ ନ ହେଉ, ଆପଣଙ୍କ ଜୀବିକା ଠିକ୍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡ଼ିବ । ତେଣୁ ଆମର ଜୀବନ ଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା, ମାସ୍କକୁ ଆମର ସାଥୀ କରିପାରିବା ତେବେ ଆମେ ବିନା ଲକଡାଉନ୍ ରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ।
ଓଡ଼ିଶାବାସୀଙ୍କୁ ଆଜି ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଯଦି କୋଭିଡ୍ ନିୟମ ମାନିବା, ମାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲକଡାଉନ୍ ରେ କରୋନା ସଂକ୍ରମଣକୁ ରୋକିପାରିବା । ଲକଡାଉନ୍ ଯଦି ଚାହୁଁନ ତେବେ ମାସ୍କ ପିନ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏକପ୍ରକାର ଶୁଣାଇ ଦେଇଛନ୍ତି ।
ମାସ୍କ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବା ପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଡାକରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ୧୪ ଦିନ କୌଣସି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବରେ ମାସ୍କ ପିନ୍ଧିବା । ବେକରେ ଝୁଲାଇ କରି ନୁହେଁ । ତେବେ ଯାଇ ଆମେ କରୋନାକୁ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅଭିଯାନରେ ମା’ ମାନଙ୍କୁ ବିଶେଷ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆପଣଙ୍କ ପରିବାରର ଲୋକମାନେ ବିଶେଷ କରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍ ଭାବରେ ମାସ୍କ ପିନ୍ଧିବେ ସେଥିପାଇଁ ଧ୍ୟାନ ଦିଅନ୍ତୁ । ମା’ ମାନେ ସତର୍କ ହେଲେ କରୋନା କେବେ ବି ଆମ ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି । ମା’ ମାନେ ଘର ଜଗନ୍ତୁ ।
ମାସ୍କ ଅଭିଯାନରେ ଅମାନିଆଙ୍କଠାରୁ ଦୁଇଗୁଣା ଜରିମାନା ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ଠିକ୍ ଭାବରେ ନ ପିନ୍ଧି ବାହାରକୁ ଆସିଲେ ଏହି ଜରିମାନା ଦେବାକୁ ପଡ଼ିବ । କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକଡାଉନ୍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ୍ ର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲକଡାଉନ୍ ସଟଡାଉନ୍ କରିବାକୁ ପଡ଼ିଥିଲା । ଲକଡାଉନ୍ ରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବାଣିଜ୍ୟ ବ୍ୟବସାୟ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା ।
ଏବେ କୋଭିଡ୍ ର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେଲାଣି । ଏହା ବହୁତ ଶୀଘ୍ର ବ୍ୟାପୁଛି । ଆମ ଦେଶର ଅନେକ ରାଜ୍ୟରେ ଲକଡାଉନ୍ ସଟଡାଉନ୍ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଗଲାଣି । କିନ୍ତୁ ଆମେ ଯଦି କୋଭିଡ୍ ନିୟମ ମାନିବା, ମାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲକଡାଉନ୍ ରେ କରୋନା ସଂକ୍ରମଣକୁ ରୋକିପାରିବା ।
ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ । ତା’ ହେଲେ ଯାଇ ଆମେ ବିନା ଲକଡାଉନ୍ ରେ କରୋନାକୁ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।