ଭୁବନେଶ୍ୱର: ପ୍ରଶାସନରେ ସ୍ୱଚ୍ଛତା ଆଣିବା ଲାଗି ଇ-ମଷ୍ଟରରୋଲକୁ ଆପଣେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂରେ ୫-ଟି ଚାର୍ଟରର ସମୀକ୍ଷା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନରେ ସ୍ୱଚ୍ଛତା ଆଣିବା ଲାଗି ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମଷ୍ଟରରୋଲର ଇ-ଫର୍ମାଟ୍ ଅକ୍ଟୋବର ୨ ରୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୫ଟି ବିଭାଗରେ ଏହା କାର୍ଯ୍ୟକାରୀ ହେବ । ସେଗୁଡ଼ିକ ହେଉଛି ପୂର୍ତ୍ତ, ଜଳସମ୍ପଦ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ । ୧୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ଇ-ମଷ୍ଟରରୋଲ କାର୍ଯ୍ୟକାରୀ ହେବ । ୨୦୨୧ ଜାନୁଆରୀ ୧ ରୁ ଏହା ବିଭାଗରେ କାର୍ଯ୍ୟକାରୀ ହେବ । ଯାଜନା କାର୍ଯ୍ୟକାରିତାରେ ପୂର୍ତ୍ତ ବିଭାଗ ହେବ ନୋଡାଲ ବିଭାଗ ।
ଏହି ବ୍ୟବସ୍ଥାରେ ଶ୍ରମିକଙ୍କ ମଜୁରୀ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ । ଏହାଦ୍ୱାରା ସର୍ବନିମ୍ନ ମଜୁରୀ ପ୍ରଦାନ ଉପରେ କଡ଼ା ନଜର ରଖାଯାଇପାରିବ । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ରକ୍ଷା ହେବା ସହ ଜାଲିଆତିକୁ ଏଡାଯାଇପାରିବ । ଖାଲି ସେତିକି ନୁହେଁ, ଇଏସଆଇ ଓ ଇପିଏଫ ଠିକ୍ ସମୟରେ ଦାଖଲ ହେଉଛି ନା ନାହିଁ ତାହାର ତଦାରଖ ହେବ ।
ଉତ୍ତମ ଟେକନୋଲୋଜି ଓ ଆଇନର ଗଣ୍ଡି ମଧ୍ୟରେ ରହିବ ଇ-ମଷ୍ଟରରୋଲ । ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରାଯାଇପାରିବ । ବ୍ୟବସ୍ଥାର ସଫଳ ରୂପାୟନ ଏବଂ ଖିଲାପକାରୀଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହିତ ସେମାନଙ୍କର ଦକ୍ଷତା ବୃଦ୍ଧିକୁ ପ୍ରାଧାନ୍ୟ ଦିଆଯିବ । କର୍ମଚାରୀ ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ସମୀକ୍ଷା ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, ୫-ଟି ସଚିବଙ୍କ ସମେତ ବିଭାଗୀୟ ସଚିବ ଓ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।