ଭୁବନେଶ୍ୱର: ଝାରପଡ଼ା ଜେଲ୍ ରେ ୬ ମାସ ବନ୍ଦୀ ଜୀବନ କାଟିବା ପରେ ଆଜି ଜେଲ୍ ରୁ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ବିରୋଧରେ ଥିବା ଷଷ୍ଠ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ବିରୋଧରେ ଥିବା ୬ ଟି ମାମଲାରେ ମୋଟ ୬୯ ଲକ୍ଷ ୪୫ ହଜାର ଟଙ୍କା ନିମ୍ନ ଅଦାଲତରେ ଜମା କରିବା ପରେ ଜେଲ୍ ରୁ ଖଲାସ ହୋଇଥିଲେ । ତେବେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ନ ଦେବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଥିବାରୁ ଶ୍ରୀ ପାଣିଗ୍ରାହୀ ପାଟି ବନ୍ଦ ରଖି ଚୁପଚାପ ଘରକୁ ଫେରିଛନ୍ତି ।
ଜେଲ୍ ରୁ ଖଲାସ ପ୍ରକ୍ରିୟା ସରିବା ପରେ ଅପରାହ୍ନ ପ୍ରାୟ ୫ଟା ବେଳେ ପ୍ରଦୀପ ପାଣିଗ୍ରାହୀ ଜେଲ୍ ରୁ ବାହାରିଥିଲେ । ଜେଲ୍ ଭିତର ଗେଟ୍ ପାଖରେ ପୂର୍ବରୁ ଅପେକ୍ଷା କରିଥିବା ପତ୍ନୀ ତାଙ୍କୁ ପାଛୋଟି ଆଣିଥିଲେ । ସେମାନଙ୍କ ଗାଡ଼ି ପାଖରେ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକଙ୍କ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ନ କହି ଗାଡ଼ିରେ ବସିପଡ଼ିଥିଲେ । ପତ୍ନୀ ମଧ୍ୟ ଗଣମାଧ୍ୟମକୁ କିଛି କହିବାକୁ ମନା କରିଦେଇଥିଲେ ।
ଠକେଇ ଅଭିଯୋଗରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ ତାରିଖରେ କ୍ରାଇମବ୍ରାଞ୍ଚ ତାଙ୍କ ବାସଭବନରୁ ଗିରଫ କରିଥିଲା । ଗିରଫ ପୂର୍ବରୁ ଏବଂ ପରେ ଗଣମାଧ୍ୟମ କ୍ୟାମେରା ଆଗରେ ବିଧାୟକ ପ୍ରବଳ ତୋଡ଼ ଦେଖାଇଥିଲେ । ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆକ୍ରୋଶମୂଳକ କହି ପତ୍ନୀ ମଧ୍ୟ ପ୍ରବଳ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ । ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ବର୍ଷିଥିଲେ । ତେବେ ୬ ମାସ ଜେଲ୍ ଦଣ୍ଡ କାଟିଥିବା ବିଧାୟକ ଆଜି ପତ୍ନୀଙ୍କ ସହ ଚୁପଚାପ ଘରକୁ ଫେରିଆସିଛନ୍ତି ।
ସୂଚନାଥାଉକି, ଏକଦା ବିଜେଡ଼ିର ଏହି ପ୍ରଭାବଶାଳୀ ନେତା, ପୂର୍ବତନ ମନ୍ତ୍ରୀଙ୍କ କାରନାମା ଜଣାପଡ଼ିବା ପରେ ଦଳ ସୁପ୍ରିମୋ କଠୋର ହୋଇଥିଲେ । ଗତ ନଭେମ୍ବର ୨୯ ତାରିଖରେ ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ।
ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ମାମଲା ଅଛି । ପୂର୍ବତନ ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ତଥା ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ସାମନାରେ ରଖି ବିଧାୟକ ସ୍ଥାନୀୟ ଯୁବକଙ୍କଠାରୁ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି । ଟାଟା ମୋଟର୍ସର ଏମଡି ଭାବେ ଜାଲ୍ ପରିଚୟ ଦେଇଥିବା ଆକାଶଙ୍କ ନାଁରେ ଗୋପାଳପୁର ଅଞ୍ଚଳର ଅନେକ ଯୁବକଙ୍କଠାରୁ ବିଧାୟକ ଟଙ୍କା ଆଦାୟ କରି ଜାଲ୍ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ବିଧାୟକଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ୬ ଟି ଏବଂ ଗୋଳନ୍ଥରା ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା ।
ତଳକୋର୍ଟରୁ ଜାମିନ୍ ନାମଂଜୁର ହେବା ପରେ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ପୂର୍ବରୁ ପର୍ଯ୍ୟାୟକ୍ରମେ ୫ ଟି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ । ଷଷ୍ଠ ମାମଲାରେ ଗତକାଲି ହାଇକୋର୍ଟରୁ ସେ ଜାମିନ୍ ପାଇଥିଲେ ।