ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଅଲିମ୍ପିକ୍ସ ପଦକ
କଳିଙ୍ଗ ଷ୍ଟାଡିୟମ୍ ରେ ପ୍ରାକ୍ଟିସ୍ କରିଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଖୁସିର ଲହରି । ୨୩ ବର୍ଷୀୟ ନୀରଜ ଚୋପ୍ରାଙ୍କୁ ଜାଭେଲିନ୍ ଥ୍ରୋ’ ରେ ମିଳିଛି ଅଲିମ୍ପିକ୍ସ ଗୋଲଡ୍ ମେଡାଲ୍ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଅଲିମ୍ପିକ୍ସ ପଦକ ଜିତିଛନ୍ତି ସେ । ଟୋକିଓ ଅଲିମ୍ପିକ୍ସରେ ଗୋଲଡ ମେଡାଲ୍ ଜିତିବାରେ ମଧ୍ୟ ସେ ହେଉଛନ୍ତି ଏକମାତ୍ର ଭାରତୀୟ । ଆଜି ଅନୁଷ୍ଠିତ ଫାଇନାଲ୍ ରେ ନୀରଜ ୮୭.୫୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି ।
ବ୍ୟକ୍ତିଗତ ଇଭେଣ୍ଟ ଭାବେ ଦେଶକୁ ଏହା ଦ୍ୱିତୀୟ ଅଲିମ୍ପିକ୍ସ ସ୍ୱର୍ଣ୍ଣ । ପୂର୍ବରୁ ସୁଟିଂରେ ଅଭିନବ ବିନ୍ଦ୍ରାଙ୍କୁ ମିଳିଥିଲା ସ୍ୱର୍ଣ୍ଣ । ଅଲିମ୍ପିକ୍ସରେ ନୂଆ କୀର୍ତ୍ତିମାନ ସ୍ଥାପନ କରି ନୀରଜ ଦେଶ ପାଇଁ ଗୌରବ ଆଣିଥିବାରୁ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ନୀରଜଙ୍କ ସଫଳତା ଯୁବକଙ୍କୁ ଉତ୍ସାହିତ କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ଏହାକୁ ଅବିଶ୍ୱସନୀୟ ସଫଳତା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ନୀରଜ ଯେଉଁ ଇତିହାସ ରଚିଲେ ତାହା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ନୀରଜଙ୍କ ଏହି ସଫଳତା ଓଡ଼ିଶାବାସୀଙ୍କ ପାଇଁ ଅଧିକ ଗୌରବର ବିଷୟ ହୋଇଛି । ଓଡ଼ିଶା ମାଟିର ଆଶିର୍ବାଦ ତାଙ୍କ ଉପରେ ଥିଲା । ଅଲିମ୍ପିକ୍ସ ପାଇଁ ଦୁଇମାସ ଧରି କଳିଙ୍ଗ ଷ୍ଟାଡିୟମ୍ ରେ ଅଭ୍ୟାସ କରିଥିଲେ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମ୍ ରେ କ୍ୟାମ୍ପ କରିଥିଲେ ବୋଲି ରାଜ୍ୟ କ୍ରୀଡ଼ା ସଚିବ ଆର. ଭୀନିଲ୍ କ୍ରିଷ୍ଣା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିବା ନୀରଜଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ଏହାକୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୪ ଟି ବ୍ରୋଞ୍ଜ ପଦକ ମିଳିଛି ।
Continue Reading