ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ଚାଲିଥିବାରୁ ରଥଯାତ୍ରା କଟକଣା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବବର୍ଷ ଯେଭଳି କଟକଣାରେ କେବଳ ପୁରୀରେ ରଥଯାତ୍ରା ହୋଇଥିଲା ଏବର୍ଷ ବି ସେୟା ହେବ । ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା । ପୁରୀ ଛଡ଼ା ଅନ୍ୟ କେଉଁଠି ରଥଯାତ୍ରା ହୋଇପାରିବ ନାହିଁ । ସଂପୃକ୍ତ ମନ୍ଦିରଗୁଡ଼ିକରେ କେବଳ ନୀତିକାନ୍ତି ହେବ ।
ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଦ୍ୱିତୀୟ ଲହର ଯାଇନାହିଁ । କେବେ ଯିବ କେହି କହିପାରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁଲାଇ ୧୨ ତାରିଖରେ ପଡୁଥିବା ରଥଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ପୁରୀ ଛଡ଼ା ଅନ୍ୟ କେଉଁ ଜାଗାରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ରଥଯାତ୍ରା ଉପରେ କଟକଣା ଜାରି କରାଯାଇଛି ।
ପୁରୀରେ ଗତବର୍ଷ ଯେଭଳି ରଥଯାତ୍ରା ହୋଇଥିଲା, ସମାନ ଢଙ୍ଗରେ ଏବର୍ଷ ହେବ । ସହରରେ କର୍ଫ୍ୟୁ ଲାଗିବ ଏବଂ ପୁରୀକୁ ଯାତାୟତ ଉପରେ କଟକଣା ରହିବ । ରଥଯାତ୍ରାରେ ଭାଗ ନେବାକୁ ଥିବା ସେବାୟତମାନଙ୍କର ଆରଟି ପିସିଆର୍ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ହେବା ବାଧ୍ୟତାମୂଳକ । ଏଥିସହ ଦୁଇଟି ଯାକ ଟିକା ଡୋଜ୍ ନେଇଥିବା ସେବାୟତମାନେ ହିଁ ରଥଯାତ୍ରାରେ ଭାଗ ନେଇପାରିବେ । ଗୋଟିଏ ରଥରେ ସର୍ବାଧିକ ୫୦୦ ଜଣ ରହିପାରିବେ । ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ, ମାସ୍କ ପିନ୍ଧିବେ ଏବଂ ହାତକୁ ବାରମ୍ବାର ସଫା କରିବେ । ବଡ଼ଦାଣ୍ଡରେ କେହି ଭକ୍ତ ରହିବେ ନାହିଁ । ସେବାୟତ ଏବଂ ପୁଲିସମାନେ ରଥ ଟାଣିବେ ।
ବିନା ଭକ୍ତରେ ଅନୁଷ୍ଠିତ ରଥଯାତ୍ରାର ସିଧା ପ୍ରସାରଣ ଲୋକମାନେ ଟିଭି, ମୋବାଇଲରୁ ଦେଖିପାରିବେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି । ବିଭାଗଠାରୁ ଟିଭି ଓ ୱେବ୍ ଚାନେଲମାନେ ସିଧା ପ୍ରସାରଣର ଫିଡ୍ ନେବେ ।