ଭୁୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡରୁ ଗତ ୪ ତାରିଖରେ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଏବଂ କଟାମୁଣ୍ଡ ମିଳିଛି । ଗଣ୍ଡିଠାରୁ ପ୍ରାୟ ୨ କିଲୋମିଟର ଦୂର ଭରତପୁର ଜଙ୍ଗଲରେ ମହିଳାଙ୍କ ମୁଣ୍ଡ ପଡ଼ିଥିଲା । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ କଟାମୁଣ୍ଡ ଜାଗାକୁ ବାଟ କଢ଼ାଇ ନେଇଥିଲେ । ଦୀର୍ଘ ୮ ଦିନ ଧରି ଅଚିହ୍ନା ମୃତ ମହିଳାଙ୍କ ପରିଚୟ ଖୋଜୁଥିବା କମିଶନରେଟ୍ ପୁଲିସକୁ ଆଜି ଏହି ବଡ଼ ସଫଳତା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରହସ୍ୟଜନକ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ । ବିବାହ ବିବାଦରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସେ ସ୍ପଷ୍ଟ କରିଛନ୍ତି ।
ମୃତ ମହିଳାଙ୍କ ନାଁ ପୁଷ୍ପଲତା ରାଉଳ ଏବଂ ବୟସ ୨୮ ବର୍ଷ । ମଞ୍ଚେଶ୍ୱର ଥାନା ଧିରିକୁଟି ବସ୍ତିରେ ତାଙ୍କ ଘର । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭରତପୁରର ତାରେଣୀନଗର ବସ୍ତିରେ ଘର କରି ସେଠାରେ ଏକା ରହୁଥିଲେ । ଇତିମଧ୍ୟରେ ସଞ୍ଜୟ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସଞ୍ଜୟ ପାତ୍ରପଡ଼ାର ଫୁଲେଶ୍ୱରୀ ବସ୍ତିରେ ରହନ୍ତି । ପୁଷ୍ପଲତାଙ୍କ ଘରେ ସଞ୍ଜୟ ଆଗରୁ ଭଡ଼ା ରହୁଥିବାରୁ ଗତ ୬ ବର୍ଷ ହେଲା ସେମାନଙ୍କର ପରିଚୟ ଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସଞ୍ଜୟଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ହୋଇଥିଲା ଏବଂ ଫୁଲେଶ୍ୱରୀ ବସ୍ତିରେ ତାଙ୍କ ପାଖକୁ ଯାଆସ କରୁଥିଲେ ।
ଇତିମଧ୍ୟରେ ପ୍ରୀତିରଞ୍ଜନ ପତି ନାମକ ଜଣେ ବ୍ୟକ୍ତିଙ୍କୁ ପୁଷ୍ପଲତା ଗତ ଡିସେମ୍ବର ୨୪ ତାରିଖରେ ଆମଫୋଇରେ ବାହା ହୋଇଥିଲେ ଏବଂ ତାଙ୍କର ଚକେଇସିଆଣୀ ଘରେ ରହୁଥିଲେ । ତେବେ ବିବାହର କିଛି ଦିନ ପରେ ସେ ସ୍ୱାମୀ ପ୍ରୀତିରଞ୍ଜନଙ୍କୁ ଛାଡ଼ି ଫୁଲେଶ୍ୱରୀ ବସ୍ତି ଚାଲି ଆସିଲେ ଏବଂ ମାସେ ହେଲା ସଞ୍ଜୟଙ୍କ ସହ ରହିବାକୁ ଆରମ୍ଭ କରିଥିଲେ ।
ତେବେ ବିବାହକୁ ନେଇ ପୁଷ୍ପଲତା ଓ ସଞ୍ଜୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଗତ ଉଭୟଙ୍କ ବିବାଦ ଉଗ୍ର ହୋଇଥିଲା ଏବଂ ୩ ତାରିଖ ସଂଧ୍ୟା ୫ଟାରେ ପୁଷ୍ପଲତାଙ୍କୁ ସଞ୍ଜୟ ତଣ୍ଟିଚିପି ହତ୍ୟା କଲା । ଆଉ ଶବକୁ ଗାଏବ କରିବା ପାଇଁ ସଞ୍ଜୟ ତା ସାଙ୍ଗ ଚନ୍ଦୁ ଓରଫ୍ ଶ୍ରୀକାନ୍ତ ଦାସର ସାହାଯ୍ୟ ନେଲା । ଶବ ଗାଏବ କରି ପ୍ରମାଣ ନଷ୍ଟ କରିବାକୁ ସେଇଠାରେ ହିଁ ଯୋଜନା ହେଲା ।
ଯୋଜନା କାର୍ଯ୍ୟକାରୀ କରିବାକୁ ଉଭୟ ଆଇଗିଣିଆ ବଜାରକୁ ଗଲେ । ଦୁଇ ହଳ ସର୍ଜିକାଲ୍ ଗ୍ଲୋବସ୍ ଏବଂ ଗୋଟେ ଛୁରୀ କିଣିଲେ । ବସ୍ତିରେ ସେଦିନ ଲୋକ ଶୋଇଲା ପରେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ଶବକୁ ସ୍ଥାନାନ୍ତର କରି ଅନ୍ଧାରୁଆ ରାସ୍ତାରେ ଫିଙ୍ଗିଦେଲେ । ସେଠି ମୁଣ୍ଡକୁ କାଟି ଖଣ୍ଡଗିରି ଚନ୍ଦକା ରାସ୍ତାରେ ହାତୀ ଟ୍ରେଞ୍ଚରେ ଫିଙ୍ଗି ଚାଲିଗଲେ ।
ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଉଭୟ ଦଶପଲ୍ଲାର ଜଣେ ସାଙ୍ଗ ଘରକୁ ପଳାଇଲେ । ସେଠି ରହି କାମ ଖୋଜିବାର ବାହାନା କରୁଥିଲା ବେଳେ ୯ ତାରିଖ ରାତିରେ ପୁଲିସ ପଂଝାରେ ପଡିଥିଲେ । ଆଜି ପୁଲିସ ଦୁଇ ଅଭିଯୁକ୍ତଙ୍କ ସହାୟତାରେ କଟାମୁଣ୍ଡ ଜବତ କରିବା ପରେ ଭୁବନେଶ୍ୱର ଫୋରେନସିକ୍ ଲାବୋରେଟୋରିକୁ ପରୀକ୍ଷା ପାଇଁ ପଠାଇଛି । ମୁଣ୍ଡ, ଗଣ୍ଡିର ଡିଏନଏ ପ୍ରୋଫାଇଲିଂ କରାଯିବ ।