ଭୁବନେଶ୍ୱର: କଂଗ୍ରେସର ବିପ୍ଲବୀ ଯୁବନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡ଼ିରେ ମିଶିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ଖୁବ ଶୀଘ୍ର ସେ ଶଙ୍ଖ ଫୁଙ୍ଖୁଥିବା ଦେଖିବାକୁ ମିଳିବ । ବିଜେଡ଼ି ପାର୍ଟି ଅଫିସରେ ମିଶ୍ରଣ ପର୍ବ ଯେ କୌଣସି ମୁହୁର୍ତ୍ତରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
ବିଜେଡ଼ିରେ ମିଶିବା ନେଇ ନିଜେ ପ୍ରଦୀପ ମାଝୀ ଇସାରା ଦେଇସାରିଲେଣି । ସେ ଯେଉଁ ଆଦର୍ଶକୁ ଧରି ରାଜନୀତି କରୁଛନ୍ତି ତାହା ବଦଳାଇପାରିବେ ନାହିଁ । ମାତ୍ର ଦଳ ବଦଳାଇବାରେ ଅସୁବିଧା ନାହିଁ । ଆଦର୍ଶଗତ ଭାବେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ବିଶେଷ ଫରକ୍ ସେ ଦେଖୁନାହାନ୍ତି ବୋଲି ପ୍ରଦୀପ କହିଛନ୍ତି ।
ଏଭଳି ମନ୍ତବ୍ୟ ଜରିଆରେ ପ୍ରଦୀପ ଜଣାଇ ଦେଇଛନ୍ତି ଯେ ବିଜେଡ଼ିର ନୀତି, ଆଦର୍ଶରେ ସେ ଖାପ ଖାଉଛନ୍ତି । ତେଣୁ ସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସରେ ରହି ନିଜ ଭବିଷ୍ୟତ ଅନ୍ଧାର କରିବା ଅପେକ୍ଷା ବିଜେଡ଼ିକୁ ଚାଲିଯାଇ ଭାଗ୍ୟ ପରୀକ୍ଷା କରିବାଟା ଶ୍ରେୟସ୍କର ।
ରାହୁଲ ଗାନ୍ଧୀଙ୍କ ଆଶୀର୍ବାଦ ଥିବା ସତ୍ତ୍ୱେ ପ୍ରଦୀପ ମାଝୀ କଂଗ୍ରେସ ପ୍ରତି କେବେଠୁ ବିମୁଖ ହୋଇସାରିଲେଣି । ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଖରାପ ନ ଥିଲେ ମଧ୍ୟ ଏଠି ଦଳର ଭବିଷ୍ୟତ ନେଇ ତାଙ୍କର ଆଶଙ୍କା ବଢ଼ିଯାଇଛି । କଂଗ୍ରେସରେ ଶୁଖିଲାରେ ପଡ଼ି ସମୟ ବରବାଦ କରିବାକୁ ଚାହୁଁନାହାନ୍ତି । ସ୍ଥାଣୁ ହୋଇଗଲେ କ୍ୟାରିୟର୍ ପ୍ରତି ବିପଦ ବୋଲି ଅନେକ ଦିନ ତଳୁ ତାଙ୍କ ମନରେ ଛନକା ପଶିଛି ।
ସେ ବିଜେପିରେ ଯୋଗଦେଉଥିବା ପୂର୍ବରୁ ଜୋର୍ ଚର୍ଚ୍ଚା ହୋଇଥିଲା । ପ୍ରଦୀପଙ୍କ ସମର୍ଥକମାନେ ବିଜେପିରେ ଯୋଗଦାନ ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରି ନ ଥିଲେ । ତେବେ ପରବର୍ତ୍ତୀ ସମୟରେ ପ୍ରଦୀପ ନିଜର ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି । ବିଜେପି ନୀତି ଆଦର୍ଶରେ ସାମିଲ ହେବା ତାଙ୍କ ପାଇଁ ବୁମେରାଂ ହେବ ବୋଲି କୁଆଡ଼େ ତାଙ୍କର ଅନୁଭବ ହୋଇଛି । ଏହି ଦୃଷ୍ଟିରୁ ବିଜେଡ଼ି ତାଙ୍କ ପାଇଁ ଭଲ ପ୍ଲାଟଫର୍ମ ହେବ ବୋଲି ସେ ବୁଝିଥିବା ତାଙ୍କ ସମର୍ଥକ ମହଲରୁ ସୁଚନା ମିଳିଛି ।
ଇତିମଧ୍ୟରେ ବିଜେଡ଼ି ନେତୃବୃନ୍ଦଙ୍କ ସହ ତାଙ୍କର କେଇ ରାଉଣ୍ଡ ଆଲୋଚନା ହୋଇ ଗ୍ରୀନ୍ ସିଗନାଲ୍ ମିଳିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ତେବେ ନବରଙ୍ଗପୁର ଜିଲ୍ଲା ସମୀକରଣରେ ପ୍ରଦୀପଙ୍କୁ ନେଇ ସାଂସଦ ରମେଶ ମାଝୀଙ୍କର ଆପତ୍ତି ଥିଲେ ମଧ୍ୟ ବିଜେଡ଼ି ନେତୃବୃନ୍ଦ ତାହାର ସମାଧାନ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ପ୍ରଦୀପଙ୍କ ଜଣେ ଖାସ୍ ସମର୍ଥକଙ୍କ ସୂଚନା ଅନୁଯାୟୀ, ଗତମାସରେ ବିଜେଡ଼ି ପକ୍ଷରୁ ତାଙ୍କ ପାଇଁ ମିଶ୍ରଣ ପର୍ବ ଚୂଡ଼ାନ୍ତ ହୋଇ ଦିନ ଓ ସମୟ ଧାର୍ଯ୍ୟ ସରିଥିଲା । ମାତ୍ର ପିପିଲି ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରିପ୍ରେକ୍ଷୀରେ ତାହାକୁ ଗଡ଼ାଇ ଦିଆଯାଇଥିଲା । ପିପିଲିରେ କଂଗ୍ରେସର ପ୍ରାର୍ଥୀ ଚୟନ ଓ ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବାରୁ ପ୍ରଦୀପ ନୈତିକତା ଦୃଷ୍ଟିରୁ ସମୟ ଘୁଞ୍ଚାଇବାକୁ ଚାହିଁଥିଲେ ବୋଲି ସେ କହିଛନ୍ତି ।