ଭୁବନେଶ୍ୱର: ବ୍ରେକିଂ ଖବର ଲାଗି ଉତ୍ସୁକତା ଆଉ ସାମ୍ବାଦିକମାନଙ୍କ ମଧ୍ୟରେ ସୀମିତ ନାହିଁ । ଟୁଇଟର୍ ହାଣ୍ଡଲ୍ ଧରିଥିବା ନେତାମାନଙ୍କୁ ଏହି ନିଶା ଜୋର୍ ଘାରିଛି । ସବୁଠାରୁ ଲଜ୍ଜାର କଥା, ବଞ୍ଚିଥିବା ଲୋକଙ୍କୁ ସମ୍ମାନ ଦେଇ ଶିଖି ନ ଥିବା ନେତା କାହାର ମୃତ୍ୟୁ ଖବରରେ ଶୋକବ୍ୟକ୍ତ କରି ସୋସିଆଲ୍ ମିଡ଼ିଆରେ ଛାଡ଼ିବା ପାଇଁ ଏବେ ପ୍ରତିଦ୍ୱନ୍ଦିତା ହେଉଛି । ତେବେ ସମସ୍ତଙ୍କଠାରୁ ଆଗରେ ଶୋକବ୍ୟକ୍ତ କରି ବାହାଦୁରି ନେବାର ନିଶା କେତେ ମାରାତ୍ମକ ହୋଇପାରେ ତାହା ଆଜି ଦେଖିବାକୁ ମିଳିଛି ।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଶାରୀରିକ ଅସୁସ୍ଥତା ଯୋଗୁଁ କଟକର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି । ମାତ୍ର ତାଙ୍କର ପରଲୋକ ହୋଇଯାଇଥିବା କହି ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମନ୍ତ୍ରୀଙ୍କର ଏହି ଟୁଇଟ୍ ସୋମବାର ସଂଧ୍ୟାରେ ଆସିବା ପରେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଖୋଦ୍ ସମୀର ଦେ ଙ୍କ ପରିବାର ଏବଂ ଗଣମାଧ୍ୟମ ପାଖରେ ଏହାର ଖବର ନ ଥିଲା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖକୁ ଏହି ଖବର କେମିତି ଆସିଲା କେହି ବୁଝିପାରି ନ ଥିଲେ ।
ତେବେ ଆମ ସୂଚନା ଅନୁଯାୟୀ, ସମୀର ଦେଙ୍କ ପରିବାର ଏହି ଫେକ୍ ଭାଇରାଲ୍ ଖବର ଜାଣି ଖୁବ୍ ଆଘାତ ପାଇଥିଲେ । କିଛି ଗଣମାଧ୍ୟମକୁ ସେମାନଙ୍କ ଅସନ୍ତୋଷ ଜଣାଇବା ପରେ ଯାଇ ମନ୍ତ୍ରୀ ତଟସ୍ଥ ହୋଇ ସେହି ଟୁଇଟ୍ କୁ ଡିଲିଟ୍ କରିଥିଲେ ।
ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ଦାୟିତ୍ୱହୀନତା ସବୁ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ଜଣେ ବରିଷ୍ଠ ନେତାଙ୍କ ମିଛ ମୃତ୍ୟୁ ଖବର ସେ କେଉଁଠାରୁ ପାଇଲେ ଏବଂ ତାହାର ଯାଞ୍ଚ ନ କରି କିଭଳି ଶ୍ରଦ୍ଧାଞ୍ଜଳି ଦେଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । କିଛି ଦିନ ତଳେ ପ୍ରଦୀପ ମହାରଥୀ ଜୀବିତ ଥିବା ବେଳେ ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମାଲୋଚନାର ଶିକାର ହୋଇଥିଲେ ।
କିଛି ନେତାଙ୍କର ଏଭଳି ବେପରୁଆ ଓ ଦାୟିତ୍ୱହୀନ ଟୁଇଟ୍ ମାନିଆ ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷକରି ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ଠିକ ଖବର ନ ଜାଣି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଏହି ମାରାତ୍ମକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । ସମୀର ଦେ ଙ୍କୁ ଭଗବାନ ଦୀର୍ଘଜୀବୀ କରନ୍ତୁ ।