ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାସ୍ଥିତ ନମକାନି ପୋଖରୀରୁ ଉଦ୍ଧାର ହୋଇଥିବା ଶବ ଚିହ୍ନଟ ହୋଇଛି । ମୃତକ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ ସମ୍ପାଦକ ନବୀନ ଦାସଙ୍କର ବଡ଼ପୁଅ ମନୀଷ ଅନୁରାଗ ଦାସ(୩୦) । ତାଙ୍କୁ କେହି ହତ୍ୟା କରି ସେଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ରାତିରେ ସେ ଅପହରଣ ହୋଇଥିବା ନେଇ ଇନଫୋସିଟି ଥାନାରେ ଘର ଲୋକ ଅଭିଯୋଗ କରିଥିଲେ । ଆଜି ଏହି ଦୁଃଖଦ ଖବର ଆସିଲା ପରେ ବିଭିନ୍ନ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଅଭିଯୋଗ ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ପରିବାର ସହ ରହୁଥିବା ମନୀଷ ଓରଫ୍ ଗୁଡୁଙ୍କୁ କିଛି ଯୁବକ ଗତକାଲି ରାତିରେ ଅପହରଣ କରିନେଇଥିଲେ । ସେମାନେ ମାଡ଼ ମାରୁଥିବା ନେଇ ବାପାଙ୍କୁ ସେ ଫୋନ୍ କରି ଜଣାଇଥିଲେ । ଅପହରଣକାରୀମାନେ ମଧ୍ୟ ତାଙ୍କ ବାପାଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ପରେ ପୁଅର ଅପହରଣ ସଂକ୍ରାନ୍ତରେ ଶ୍ରୀ ଦାସ ଇନଫୋସିଟି ଥାନାରେ ଏତଲା ଦେଇଥିଲେ । ଏହି ଏତଲାକ୍ରମେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ ।
ତେବେ ପାତ୍ରପଡ଼ାସ୍ଥିତ ନମକାନି ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଦେଖିଥିଲେ । ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ଶବ ଚିହ୍ନଟ ପାଇଁ ନବୀନ ଦାସଙ୍କୁ ଡାକିଥିଲେ । ଆଉ ତାହା ପୁଅ ଗୁଡୁ ବୋଲି ସେ ଚିହ୍ନଟ କରିଥିଲେ । ଏହା ବିଜୁଳି ବେଗରେ ପ୍ରଚାର ହେବା ପରେ ସେଠାରେ ଗହଳି ହୋଇଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ଡିସିପି ଶ୍ରୀ ଦାସ ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହି ରିପୋର୍ଟ ଲେଖାହେଲା ବେଳକୁ ଶବ ପୋଷ୍ଟମର୍ଟମ ପାଇଁ ଏମସ୍ ଅଣାଯାଇଛି ।
ଅପହରଣକାରୀମାନେ ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ଏକପ୍ରକାର ସ୍ପଷ୍ଟ ହେଉଥିଲା ବେଳେ କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୁଲିସ ତଦନ୍ତକୁ ଅପେକ୍ଷା କରାଯାଇଛି ।
ଗୁଡୁଙ୍କର ନିର୍ବନ୍ଧ ସରିଥିଲା । ନଭେମ୍ବର ୨୧ ତାରିଖରେ ତାଙ୍କର ବିବାହ ହୋଇଥାଆନ୍ତା ।