ପୁରୀ: ଦୁଇ ଦିନ ତଳେ ଆଖି ବୁଜିଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀ ବିନୋଦିନୀ ମଧ୍ୟ ଆଜି ଆଖି ବୁଜିଦେଇଛନ୍ତି । କରୋନାରେ ଆକ୍ରାନ୍ତ ବିନୋଦିନୀ ବାଳକାଟିସ୍ଥିତ ନିଳାଦ୍ରୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ସ୍ୱାମୀଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଭାଙ୍ଗିପଡିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା । ଆଜି ସକାଳ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା ।
ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରେମାନନ୍ଦ ଦାସ ମହାପାତ୍ର ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ପୁରୀର ନିଜ ହୋଟେଲ୍ ରେ ଆଇସୋଲେସନ୍ ରେ ଥିଲା ବେଳେ ରବିବାର ଭୋର୍ ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହୃଦଘାତ୍ ର ଶିକାର ହୋଇ ଆଖି ବୁଜି ଦେଇଥିଲେ । ପ୍ରେମାନନ୍ଦଙ୍କ ମୃତ୍ୟୁର ୩ ଦିନ ନ ପୂରୁଣୁ ଆଜି ତାଙ୍କ ପତ୍ନୀଙ୍କର ମୃତ୍ୟୁ ସମଗ୍ର ପୁରୀବାସୀଙ୍କୁ ସ୍ତବଧ୍ କରିଦେଇଛି ।
ପ୍ରେମାନନ୍ଦଙ୍କ ଭଳି ପତ୍ନୀ ବିନୋଦିନୀଙ୍କର ବ୍ୟକ୍ତିତ୍ୱ ଓ ଆଚାର ବ୍ୟବହାର ପାଇଁ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ସେମାନଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି ।