ପଇସା ଅଭାବରୁ ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

0
2023

ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ବାନ

ଭୁବନେଶ୍ବର: ପଇସା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି । ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବି.ଡି.ଓ. ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ଏବଂ ରୋଗୀମାନଙ୍କୁ ମେଡିସିନ୍‌ କିଟ୍‌ ଓ ଟେଲି ମେଡିସିନ ଯୋଗେ ଡକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।
ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ସାରା ଦେଶରେ କୋଭିଡ୍‌ ନିୟନ୍ତ୍ରଣରେ ଓଡିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଡୋନର ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି । ୧୦ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି । ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୦.୬୦ ରହିଛି । ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ RT-PCR Machine ସ୍ଥାପନ କରିବା, ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରାଯିବ । ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), E&IT ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here