ସମସ୍ତଙ୍କ ଆକର୍ଷଣରେ ପ୍ରତାପ ଷଡ଼ଙ୍ଗୀ

0
3286
ଭୁବନେଶ୍ୱର: ଓଡ଼ିଶାରେ ଦୁଇ ଦୁଇ ଥର ବିଧାୟକ ଥିଲେ । ବିଧାନସଭା ସମୟରେ ଏମଏଲଏ କ୍ୱାଟର୍ସ ରୁ ଚାଲି ଚାଲି ଅଥବା ଲିଫ୍ଟ ମାଗି କାହାରି ମଟରସାଇକେଲରେ ଆସୁଥିଲେ ବିଧାନସଭା । ଘରେ ନ ଖାଇଲେ, ୪ ନମ୍ବରର ଏମଏଲଏ କଲୋନୀ ପାଖାପାଖି କୌଣସି ଏକ ଛୋଟ ଚାଳିଆ ହୋଟେଲ ଯାଇ ଖାଉଥିଲେ । ତାଙ୍କର କ୍ୱାଟର୍ସ କୁ ପଶିଗଲେ ସେଠି ଜଣେ ବିଧାୟକ ରହୁଛନ୍ତି ବୋଲି ବିଶ୍ୱାସ ହେଉ ନ ଥିଲା । ବୟସର ଅପରାହ୍ନରେ ପହଞ୍ଚିଥିବା ରୋଗିଣା ମାଆ(ଆଉ ନାହାନ୍ତି) ଏବଂ ସିଏ । କେବେ କେବେ କିଛି ସମ୍ପର୍କୀୟଙ୍କୁ ଘରେ ଦେଖିବାକୁ ମିଳୁଥିଲା । ଖଣ୍ଡେ ସାଇକେଲ, କିଛି ଲୁଗାପଟା, ବହିପତ୍ର, ଟିଭିଟେ ବ୍ୟତୀତ ଘରେ ସେଭଳି କୌଣସି ଆଖିଦୃଶିଆ ଆସବାବପତ୍ର ଦେଖିବାକୁ ମିଳୁ ନ ଥିଲା ।
ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଜୀବନ ଜୀଉଁଥିବା ଏହି ବିଧାୟକଙ୍କର ପ୍ରଚଣ୍ଡ ବାଗ୍ମୀତାକୁ ବିଧାନସଭା ଭିତରେ ଓ ବାହାରେ ସମସ୍ତେ ଦେଖୁଥିଲେ । ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ କରିବା ସହ ତାଙ୍କଠାରୁ ସାହାଯ୍ୟ, ସହଯୋଗ ଲୋଡୁଥିବା କୌଣସି ବ୍ୟକ୍ତିଙ୍କୁ ନିରାଶ କରୁ ନ ଥିଲେ । ଦୃଢ଼ ମନୋବଳ ସମ୍ପନ୍ନ ଅତ୍ୟନ୍ତ ସଚ୍ଚୋଟ, ପରୋପକାରୀ ଏହି ଶାନ୍ତ ଓ ଭଦ୍ର ସ୍ୱଭାବର ବ୍ୟକ୍ତିତ୍ୱ ଜଣଙ୍କ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଗାଁ କନିଆ ଶିଙ୍ଘାଣି ନାକି ଭଳି ଜନ୍ମମାଟିର ଏଭଳି ଜଣେ ବ୍ୟକ୍ତିତ୍ୱ ଓଡ଼ିଶା ମିଡ଼ିଆ ପାଇଁ ପୂର୍ବରୁ ସେଭଳି ଆକର୍ଷଣ ନ ଥିଲା କି ଚର୍ଚ୍ଚା ହେଉ ନ ଥିଲା । ଗତଥର ନିର୍ବାଚନରେ ପରାଜିତ ହେବା ପରେ ଦଳ ପାଇଁ ବି ସତେ ଯେମିତି ଅଲୋଡ଼ା ରହିଥିଲେ । ମାତ୍ର ଏଥର ସେ ହାରିନାହାନ୍ତି । ବାଲେଶ୍ୱର ଲୋକସଭା ଆସନରୁ ବିଜେଡ଼ିର ପାୱାରଫୁଲ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ଦରବାରକୁ ତାଙ୍କର ଏଣ୍ଟ୍ରି ଏବେ ସବୁ ଜାତୀୟ ଗଣମାଧ୍ୟମର ଶିରୋନାମା ହୋଇଛି । ତାଙ୍କର ବେଶଭୂଷା, ସରଳ ଜୀବନ, ଯୋଗ, ବାଗ୍ମୀତା ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବେ ସୋସିଆଲ୍ ମିଡ଼ିଆ, ଜାତୀୟସ୍ତରର ଖବରକାଗଜ ଓ ଟିଭି ଚାନେଲଗୁଡ଼ିକ ପାଇଁ ଆକର୍ଷଣ ପାଲଟିଛି । ତାଙ୍କୁ ନେଇ ଏବେ ସବୁଦିନ ଚାଲୁଛି ଷ୍ଟୋରି । ଜାତୀୟ ଗଣମାଧ୍ୟମରେ ତାଙ୍କୁ ଦ୍ୱିତୀୟ ମୋଦି ବୋଲି ଚିତ୍ରଣ କରାଗଲାଣି । ଓଡ଼ିଶାର ଏହି ସାଂସଦଙ୍କ ପାଇଁ ଏବେ ସାରା ଦେଶବାସୀ ଗର୍ବିତ ।

ଜାତୀୟ ଗଣମାଧ୍ୟମ ପାଇଁ ତାଙ୍କର ବ୍ୟକ୍ତିତ୍ୱର ଆକର୍ଷଣ ଯେତିକି ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ଗାଁ କୁଡ଼ିଆ ଘରର ଆକର୍ଷଣ ବି ସେତିକି । ନୀଳଗିରି ନିର୍ବାଚନମଣ୍ଡଳୀର ଧୋବାଶିଳା ପଞ୍ଚାୟତ ଗୋପୀନାଥପୁରର ବ୍ରାହ୍ମଣ ଶାସନ କାହାଳିଆ ଗାଁର ବାସିନ୍ଦା ପ୍ରତାପ ଷଡ଼ଙ୍ଗୀଙ୍କର ସମ୍ପତ୍ତି ବୋଲେ ଦୁଇ ବଖରିଆ ଚାଳ ଘର । ପିଲାଦିନୁ ବଢ଼ିଥିବା ତାଙ୍କର ଏହି ଘରର କିଛି ବି ପରିବର୍ତ୍ତନ ଆସିନାହିଁ । ଏକମାତ୍ର ଭାଇ ଓ ଏକମାତ୍ର ଭଉଣୀଙ୍କ ସଂସାରକୁ ନେଇ ତାଙ୍କ ସଂସାର । ନିଜର ସେଇ କୁଡ଼ିଆ ଘରେ ମଶିଆ ପକେଇ ତଳେ ଶୋଇବା ଓ ଗାଁ ଦାଣ୍ଡ ନଳକୂଅରେ ଗାଧୋଇବା ତାଙ୍କ ପାଇଁ ନିତିଦିନିଆ କଥା । ସୋସିଆଲ୍ ମିଡ଼ିଆରେ ଆଜି ତାଙ୍କର ଏହିସବୁ ଫଟୋଚିତ୍ର ଭାଇରାଲ୍ ହୋଇଛି । ସାଇକେଲ୍ ଚଢ଼ିବା, ଦାନ୍ତ ଘଷିବା ପାଇଁ ଗାଁ ଜଙ୍ଗଲରୁ ନିମ୍ବଗଛର ଡାଳ ସଂଗ୍ରହ କରିବାର ଫଟୋ ବି ଘୁରୁଛି ସୋସିଆଲ୍ ମିଡ଼ିଆରେ । ଜାତୀୟ ଗଣମାଧ୍ୟମ ପାଇଁ ଏହିସବୁ ଫଟୋ ହୋଇଛି ହଟ୍ କେକ୍ ।
ଏଥର ନିର୍ବାଚନରେ ବିଜେଡ଼ିର କୋଟିପତି ପ୍ରାର୍ଥୀଙ୍କ ବିରୋଧରେ ଲଢ଼ୁଥିବା ପ୍ରତାପ ଷଡ଼ଙ୍ଗୀ ଦାମୀଗାଡ଼ିରେ ପ୍ରଚାର କରି ଗାଡ଼ିଭଡ଼ା ଦେଇପାରିବେନି ବୋଲି ଗୋଟିଏ ପୁରୁଣା ଅଟୋକୁ କମ ଭଡ଼ାରେ ଆଣିଥିଲେ । ଅଟୋ ଉପର ହୁଡ୍ କୁ ଖୋଲି ସେଥିରେ ଛିଡ଼ା ହୋଇ ପ୍ରଚାର କରୁଥିଲେ । ଏହି ଫଟୋ ବି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ଲୋକସଭାକୁ ନିର୍ବାଚିତ ହେବା ପରେ ଶ୍ରୀ ଷଡ଼ଙ୍ଗୀଙ୍କୁ ସବୁଆଡୁ ଅଜସ୍ର ଶୁଭେଚ୍ଛା ମିଳିବାରେ ଲାଗିଛି । ବହୁ ବିଶିଷ୍ଟ ବ୍ୟକ୍ତି ଟୁଇଟ୍ କରି ଏଭଳି ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ସାଲ୍ୟୁଟ୍ ମାରିଛନ୍ତି । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ତାଙ୍କର ଅନେକ ଫଟୋ ପୋଷ୍ଟ କରି ସେଥିରେ ଲେଖିଛନ୍ତି, ଏହି ବ୍ୟକ୍ତିଜଣଙ୍କ ବାହା ହୋଇନାହାନ୍ତି । ଗତବର୍ଷ ମାଆଙ୍କୁ ହରାଇ ଦେଇଛନ୍ତି । ଗୋଟିଏ ଛୋଟିଆ କଚ୍ଚା ଘର ଏବଂ ବାଇସାଇକେଲ ଛଡ଼ା ତାଙ୍କର ଅନ୍ୟ କିଛି ନାହିଁ । ବିଜେଡ଼ିର ବିଲିୟନାର ପ୍ରାର୍ଥୀଙ୍କୁ ହରାଇଥିବା ଏହି ଆରଏସଏସ ବ୍ୟକ୍ତିଙ୍କୁ ମୁଁ ସାଲ୍ୟୁଟ୍ କରୁଛି ବୋଲି ସେ ଲେଖିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ କୁମାର ଡୋଭଲ୍ ମଧ୍ୟ ଶ୍ରୀ ଷଡ଼ଙ୍ଗୀଙ୍କୁ ବି ଢ଼େର୍ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here